Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆତଙ୍କ ସାଙ୍ଗକୁ ଅନ୍ଧାରର ପ୍ରକୋପ: ବିପଦରେ ଜନଜୀବନ, ଶୋଇପଡ଼ିଛି କି ବନ ବିଭାଗ ?

ବଲାଙ୍ଗୀର,୨।୫: ଗୋଟିଏ ପଟେ ଗଜରାଜଙ୍କ କରାଳ ରୂପ, ଅନ୍ୟପଟେ ନିଷ୍ପାପ ଅନ୍ଧାର। ଏହି ଦୁଇ ସମସ୍ୟା ଭିତରେ ଏବେ ମୁରିବାହାଲ ରେଞ୍ଜ ଅଧୀନ ଯଇଁତରା, ଚଳକି, ନୂଆଁମୁଣ୍ଡା, ସତୀଘାଟ୍ , ବାନ୍ଦୁପଲା, ଗୁଡିଘାଟ, ବଡ଼ସାଇମରା ଗ୍ରାମବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଗତ ୧୦-୧୫ ଦିନ ହେବ ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ଥମିବାର ନାଁ ନେଉନଥିବା ବେଳେ, ପ୍ରଶାସନର ନିଦ ନଭାଙ୍ଗିବା ଏବେ ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି।
ଏହି ସବୁ ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ବଣୁଆ ହାତୀପଲ ମାତିବା ଫଳରେ ଏକର ଏକର ଚାଷ ଜମି ନଷ୍ଟ ହେବାରେ ଲାଗିଛି। ପରିଶ୍ରମ କରି ରଖିଥିବା ଧାନ, ତରଭୁଜ, କଦଳୀ, ପୋଟଳ ଫସଲ ହେଉ କିମ୍ବା କାଜୁ ବଗିଚା ସବୁକିଛି ହାତୀପଲଙ୍କ ପାଦତଳେ ଦଳି ଚକଟି ହୋଇ ଶେଷ ହୋଇଯାଉଛି। କେବଳ ଚାଷ ନୁହେଁ, ବରଂ ଘରବାଡ଼ି ଭାଙ୍ଗି ମଧ୍ୟ ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଯାହା କ୍ଷତିଗ୍ରସ୍ତ ଚାଷୀ ଆଖିରୁ ନିଦ ହଜିଯାଇଛି, ଆଉ ମୁଣ୍ଡରେ ଚିନ୍ତାର ପଡ଼ିଛି ଚଡ଼କ।
ଏହି ସମସ୍ୟାକୁ ଦ୍ୱିଗୁଣିତ କରିଛି ବିଦ୍ୟୁତ୍ ବିଭାଗର ଅବହେଳା। ଗତ ୧୫ ଦିନ ହେଲା ଗ୍ରାମରେ ଲାଇଟ କାଟ୍ ଯୋଗୁଁ ସମଗ୍ର ଅଞ୍ଚଳ ଅନ୍ଧାରରେ ବୁଡ଼ି ରହୁଛି। ଅନ୍ଧାରର ସୁଯୋଗ ନେଇ ହାତୀମାନେ ଜନବସତି ମୁହାଁ ହେଉଛନ୍ତି। କେଉଁ ମୁହୂର୍ତ୍ତରେ ହାତୀ ପାଖକୁ ଚାଲିଆସିବ, ସେହି ଭୟରେ ଗ୍ରାମବାସୀମାନେ ରାତି ସାରା ଉଜାଗର ରହୁଛନ୍ତି। “ରାତି ହେଲେ ଅନ୍ଧାର, ଆଉ ଅନ୍ଧାର ଭିତରେ କାଳ ସାଜି ଆସୁଛି ହାତୀ”—ଏହା ହିଁ ଏବେ ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି।
ଦୀର୍ଘ ଦିନ ହେବ ଏଭଳି ସ୍ଥିତି ଲାଗି ରହିଥିଲେ ମଧ୍ୟ ବନ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଉନାହିଁ। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗର ଆନ୍ତରିକତା ନଥିବା ବେଳେ ଲୋକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ପାଇଁ ଅପେକ୍ଷା କରିଥିବା ବେଳେ ପ୍ରଶାସନର ଚୁପ୍ ରହିବା ଗ୍ରାମବାସୀଙ୍କ କ୍ରୋଧକୁ ବଢ଼ାଇ ଦେଇଛି।
ଗ୍ରାମବାସୀଙ୍କ ଦାବୀ:
୧. ହାତୀପଲଙ୍କୁ ତୁରନ୍ତ ଅଞ୍ଚଳରୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉ।
୨. କ୍ଷତିଗ୍ରସ୍ତ ଚାଷୀ ଓ ଗ୍ରାମବାସୀଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ କରାଯାଉ।
୩. ଗ୍ରାମରେ ବିଦ୍ୟୁତ୍ ସେବା ତୁରନ୍ତ ସ୍ଵାଭାବିକ କରାଯାଉ।
୪. ରାତି ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପହାରା ବ୍ୟବସ୍ଥା କଡ଼ାକଡ଼ି ହେଉ।
ଯଦି ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ଅଭିଯୋଗକୁ ନେଇ ମୁରିବାହାଲ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ମହମ୍ମଦ ଜୁନେଦ ଙ୍କୁ ଯୋଗାଯୋଗ ତାଙ୍କ ମୋବାଇଲ ନମ୍ବର୍ ରେ ଯୋଗାଯୋଗ କରାଯାଇଥିବା ବେଳେ ତାଙ୍କ ମୋବାଇଲ ସ୍ୱିଚ୍ ଅଫ୍ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପକ୍ଷରେ ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍ କଲ୍ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମଧ୍ୟ ମିଳି ପାରିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ