ବଲାଙ୍ଗିରରେ ଉଗ୍ର ଜଳ ସଂକଟ; ପ୍ରତିବାଦରେ ଖାଲି ମାଠିଆ ଧରି ଜନସ୍ବାସ୍ଥ୍ୟ ବିଭାଗ ଘେରିଲେ ପୌରାଧ୍ୟକ୍ଷା ଓ କାଉନସିଲର ।
ବଲାଙ୍ଗିର,୫।୫: ବଲାଙ୍ଗିର ସହରରେ ଦେଖାଦେଇଥିବା ତୀବ୍ର ପାନୀୟଜଳ ସଂକଟକୁ ନେଇ ଆଜି ପ୍ରତିବାଦର ସ୍ୱର ଶାଣିତ ହୋଇଛି। ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ନେତୃତ୍ୱରେ ସମସ୍ତ କାଉନସିଲର ଜନସ୍ବାସ୍ଥ୍ୟ ବିଭାଗ (PHD) ର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସହରର ବିଭିନ୍ନ ୱାର୍ଡରେ ପାନୀୟ ଜଳର ଅଭାବ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାର ପ୍ରତିବାଦ ସ୍ୱରୂପ ପୌରାଧ୍ୟକ୍ଷା ଓ ସମସ୍ତ କାଉନସିଲର ମାନେ ହାତରେ ଖାଲି ମାଠିଆ ଧରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଭାଗୀୟ ଅବହେଳା ଯୋଗୁଁ ଲୋକେ ବୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।
ପ୍ରତିବାଦ ସମୟରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ବିଭାଗକୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଅତିଶୀଘ୍ର ଜଳ ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ହଜାର ହଜାର ସାଧାରଣ ଜନତାଙ୍କୁ ସାଥିରେ ନେଇ କାର୍ଯ୍ୟାଳୟ ଘେରାଉ କରାଯିବ। ସହରବାସୀଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ବିଫଳ ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସେ ପ୍ରକାଶ କରିଛନ୍ତି।

