ସେବା ହିଁ ସଂକଳ୍ପ ; କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ।
ବଲାଙ୍ଗୀର, ୯। ୫: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମାନବିକତା ଓ ସେବା ମନୋଭାବର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରୀମାନେ ରେଡକ୍ରସର ସପ୍ତନୀତିରେ ଅନୁପ୍ରାଣିତ ହେବା ପାଇଁ ଶପଥ ନେଇଛନ୍ତି।
ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ତଥା କ୍ରୀଡ଼ା ଶିକ୍ଷୟତ୍ରୀ ରଞ୍ଜୁ ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାର ପ୍ରାରମ୍ଭରେ ଆନ୍ତର୍ଜାତୀୟ ରେଡକ୍ରସର ସଂସ୍ଥାପକ ଜିନ ହେନେରୀ ଦୁନାଣ୍ଟଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଅଧ୍ୟାପକ ଜିତେନ୍ଦ୍ର ସୁନା ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସର ସାତୋଟି ମୌଳିକ ନୀତି ଯଥା: ମାନବିକତା, ନିରପେକ୍ଷତା, ସମଦର୍ଶିତା, ସ୍ୱାଧୀନତା, ସ୍ୱେଚ୍ଛାକୃତ ସେବା, ଏକତା ଓ ବିଶ୍ୱଜନନୀତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, କେବଳ ସ୍ୱେଚ୍ଛାସେବୀ ନୁହନ୍ତି, ବରଂ ସମାଜର ପ୍ରତ୍ୟେକ ବ୍ୟକ୍ତି ମାନବବାଦୀ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରି ସେବା କାର୍ଯ୍ୟରେ ନିୟୋଜିତ ହେବା ଆବଶ୍ୟକ।
ଅଧ୍ୟାପକ ଯୁଧିଷ୍ଠିର ବେହେରା ଓ ସୋମନାଥ ମେହେର ରେଡକ୍ରସ ସୋସାଇଟିର ସାମାଜିକ ମୂଲ୍ୟବୋଧ ଏବଂ ସମାଜ ଗଠନରେ ଏହାର ଭୂମିକା ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ।
ରାଜ୍ୟ ଓ ଜିଲ୍ଲା ସ୍ତରୀୟ ରେଡକ୍ରସ କ୍ୟାମ୍ପରୁ ଫେରିଥିବା ଯୁବ ରେଡକ୍ରସ ସଦସ୍ୟା ଜାଗୃତି ବେହେରା ଓ ସୁଶୀଳା ବେହେରା ନିଜ ନିଜର ପ୍ରଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିବା ସହ ଅନ୍ୟ ସ୍ୱେଚ୍ଛାସେବୀମାନଙ୍କୁ ସେବା କାର୍ଯ୍ୟ ପାଇଁ ପ୍ରେରିତ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧ୍ୟାପିକା ସୁନନ୍ଦା ରଥ, ରଶ୍ମି ରମିତା ମେହେର, ନୀରବତୀ ପଧାନ, ଗ୍ରନ୍ଥାଗାର ରକ୍ଷକ ସନ୍ତୋଷ ମହାନ୍ତିଙ୍କ ସମେତ କର୍ମଚାରୀ ସନ୍ତୋଷ ତ୍ରିପାଠୀ, ନାଜନିନ ପରମାର, ବିବେକ ସାହୁ, ହିତେଶ ରଣା, ତପନ ସତନାମୀ, ସାବିତ୍ରୀ ପୁଟେଲ ଓ ଲୀନା ଖଟୁଆ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ପରିଶେଷରେ ସଭାପତି ଶ୍ରୀମତୀ ବନଛୋର “ମାନବିକତାକୁ ଶ୍ରେଷ୍ଠ ମଣି ସେବା ପାଇଁ ହାତ ବଢ଼ାଇବା”କୁ ଆହ୍ୱାନ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଯୁବ ରେଡକ୍ରସ ସଦସ୍ୟା ଓ ଏନଏସଏସ (NSS) ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ।

