କ୍ୱାକ୍ ର ଭୁଲ୍ ଇଞ୍ଜେକ୍ସନ ନେଲା ଜୀବନ: ଚିକିତ୍ସା ଅବହେଳାରୁ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ, କ୍ଲିନିକ ବନ୍ଦ କରି କ୍ୱାକ ଫେରାର୍ ।
ବଲାଙ୍ଗୀର,୧୦।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ କର୍ଲ୍ଲାପିଟା ଗ୍ରାମରେ ଆଜି ଜଣେ କ୍ୱାକ୍ ଙ୍କ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ପରି ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି। ମୃତକ ଜଣକ ହେଲେ ସ୍ଥାନୀୟ କର୍ଲାପିଟା ଗ୍ରାମର କୌଶଲ୍ୟା ପନିକା। ଏହି ଘଟଣା ପରେ ସଂପୃକ୍ତ କ୍ୱାକ୍ ଜଣକ କ୍ଲିନିକ ବନ୍ଦ କରି ଫେରାର ହୋଇଯାଇଥିବା ବେଳେ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ କୌଶଲ୍ୟା ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ଚିକିତ୍ସା ପାଇଁ ତାଙ୍କ ନାତୁଣୀ ତାଙ୍କୁ ନିକଟସ୍ଥ ହଳଦୀ ଗ୍ରାମରେ ଥିବା ଟୁନୁ ବଗର୍ତ୍ତିଙ୍କ କ୍ଲିନିକକୁ ନେଇଥିଲେ। ଅଭିଯୋଗ ହେଉଛି ଯେ, ସେଠାରେ ଟୁନୁ ବଗର୍ତ୍ତି ବୃଦ୍ଧାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ମାତ୍ର ଇଞ୍ଜେକ୍ସନ ନେବାର କିଛି ସମୟ ପରେ କୌଶଲ୍ୟାଙ୍କ ମୃତ୍ୟୁ ଘଟିଥିଲା। ରୋଗୀର ମୃତ୍ୟୁ ହୋଇଥିବା ଜାଣିବା ପରେ କ୍ୱାକ୍ ଟୁନୁ ବଗର୍ତ୍ତି ନିଜ କ୍ଲିନିକରେ ତାଲା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଏହି ଘଟଣାକୁ ନେଇ କର୍ଲାପିଟା ଏବଂ ହଳଦୀ ଗ୍ରାମରେ ଶୋକାକୁଳ ପରିବେଶ ସହ ଅସନ୍ତୋଷ ଦେଖାଦେଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପ ଯୋଗୁଁ ମୃତକଙ୍କ ପରିବାର ଲୋକେ ଏପର୍ଯ୍ୟନ୍ତ ସର୍ବସାଧାରଣରେ ମୁହଁ ଖୋଲୁନାହାନ୍ତି। ଗ୍ରାମର କିଛି ଭଦ୍ରବ୍ୟକ୍ତି ମୃତକଙ୍କ ପରିବାରକୁ ବୁଝାସୁଝା କରି ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି ।
ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳରେ ଦିନକୁ ଦିନ କ୍ୱାକ୍ ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହା ଜନସାଧାରଣଙ୍କ ଜୀବନ ସହ ଖେଳ ସଦୃଶ ହୋଇଛି। ଏହି ଘଟଣାରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

