ମୁରିବାହାଲ ବାର୍ହା ଶିକାର ଘଟଣା: ବିଭାଗୀୟ ‘ଅଜ୍ଞତା’ ନା ଅପରାଧକୁ ପ୍ରଶ୍ରୟ? କାଠଗଡ଼ାରେ ବନ ବିଭାଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି।
ବଲାଙ୍ଗୀର,୧୧।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ହାତୀ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିନଥିବା ବେଳେ, ଚାଉଳଫୁପୁଡ଼ା ଗାଁ ନିକଟରେ ବିଦ୍ୟୁତ ଆଘାତରେ ବାର୍ହା ମୃତ୍ୟୁ ଘଟଣାକୁ ଯେଉଁଭଳି ଭାବେ ‘ଗୋପନୀୟ’ ରଖାଗଲା, ତାହା ଏବେ ବଡ଼ ବିବାଦ ମୁଣ୍ଡାଇଛି। ନିୟମ ଅନୁଯାୟୀ ବ୍ୟବଚ୍ଛେଦ ଓ ଭିଡିଓଗ୍ରାଫି କରିବା ପରିବର୍ତ୍ତେ ତରବରିଆ ଭାବେ ଶବ ପୋତିବା ପଛର ଅସଲ ରହସ୍ୟ କଣ? କାହାକୁ ସୁରକ୍ଷା ଦେଉଛି ବନ ବିଭାଗ?
ସୂଚନା ଅନୁସାରେ, ଗତ ୭ ତାରିଖ ରାତିରେ ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ପଡ଼ି ବାର୍ହାଟିର ମୃତ୍ୟୁ ଘଟିଥିଲା। ମାତ୍ର ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ର ସମସ୍ତ ନିର୍ଦ୍ଦେଶାବଳୀକୁ ଫୁ’ କରି ୮ ତାରିଖ ଦିନ ହିଁ ଶବକୁ ପୋତି ଦିଆଯାଇଥିଲା। ଆଶ୍ଚର୍ଯ୍ୟର ବିଷୟ, ଘଟଣାର ୩ ଦିନ ପରେ ମଧ୍ୟ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ୍ ବିଶି ଏ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିବା, ବିଭାଗୀୟ ସମନ୍ୱୟର ଚରମ ବିଫଳତାକୁ ଦର୍ଶାଉଛି।
୧. ଯଦି ଫରେଷ୍ଟର କହୁଛନ୍ତି ନମୁନା ସଂଗ୍ରହ ହୋଇଛି, ତେବେ କେଉଁ ଡାକ୍ତରଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହେଲା? ତାର ଭିଡିଓଗ୍ରାଫି କାହିଁ?
୨. ଘଟଣାସ୍ଥଳରୁ ଜବତ ହୋଇଥିବା ବିଦ୍ୟୁତ ତାର ଓ ଶିକାର ସାମଗ୍ରୀ କେଉଁଠି?
୩. ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅନ୍ଧାରରେ ରଖି ତଳିଆ କର୍ମଚାରୀ କାହା ନିର୍ଦ୍ଦେଶରେ ଶବ ପୋତିଲେ?
ବାରମ୍ବାର ଏହି ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ହେଉଥିଲେ ମଧ୍ୟ ପାଟ୍ରୋଲିଂ କେବଳ ଖାତା କଲମରେ ସୀମିତ ରହିଛି। ଶିକାରୀଙ୍କୁ ଧରିବା ପରିବର୍ତ୍ତେ ପ୍ରମାଣ ନଷ୍ଟ କରିବାରେ ବିଭାଗ ଅଧିକ ତତ୍ପରତା ଦେଖାଉଥିବା ଅଭିଯୋଗ ହେଉଛି। ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆସୁଥିବା ପାଣ୍ଠିର ହରିଲୁଟ୍ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବେ ସ୍ୱର ଉତ୍ତୋଳନ କରିଛନ୍ତି। ଏନେଇ ବଲାଙ୍ଗୀର ସହକାରୀ ବନ ସଂରକ୍ଷକ (ଏ ସି ଏଫ୍) ମୁରାରୀ ପଣ୍ଡାଙ୍କୁ ପଚାରିବାରୁ ମୃତ ବାରହା ର ପୋଷ୍ଟ ମର୍ଟମ୍ କରିବା ପୂର୍ବରୁ ମୋତେ ରେଞ୍ଜର ଜଣାଇଥିବା କହିବା ସହ ପୋଷ୍ଟ ମର୍ଟମ୍ ସମୟରେ ସେ ଉପସ୍ଥିତ ନଥିବା ସ୍ବୀକାର କରିଛନ୍ତି । ଅନ୍ୟପକ୍ଷରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍ ସି ସି ଏଫ୍) ସନ୍ତୋଷ ଯୋଷୀଙ୍କୁ ଏନେଇ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍ କଲ୍ ଗ୍ରହଣ କରିନଥିବା ଯୋଗୁଁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍ ସି ସି ଏଫ୍) ଙ୍କ ଦ୍ଵାରା ଏହି ସନ୍ଦେହଜନକ କାର୍ଯ୍ୟକଳାପର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ତଦନ୍ତ କରାଯାଉ। ଦୋଷୀ ଶିକାରୀଙ୍କ ସହ ସଲାସୁତୁରା କରିଥିବା ବନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍ ଆଗାମୀ ଦିନରେ ବନ୍ୟପ୍ରାଣୀଙ୍କ ଅସ୍ତିତ୍ୱ ରହିବା କଷ୍ଟକର ହୋଇପଡ଼ିବ।

