Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀପଲ ଆଳରେ ଅଘୋଷିତ ବିଦ୍ୟୁତ କାଟ୍: ଅତିଷ୍ଠ ହୋଇ ଗ୍ରିଡ୍ ଘେରାଉ କଲେ ଗ୍ରାମବାସୀ ।

ବଲାଙ୍ଗୀର,୧୧।୫: ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ ବିଭାଗର ମନମୁଖୀ ଶାସନ। ହାତୀପଲଙ୍କ ଗତିବିଧିକୁ ବାହାନା କରି ଦୀର୍ଘ ତିନି ଦିନ ଧରି ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ସତୀଘାଟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏଥିରେ ଅତିଷ୍ଠ ହୋଇ ଶତାଧିକ ଗ୍ରାମବାସୀ ସ୍ଥାନୀୟ ବିଦ୍ୟୁତ ଗ୍ରିଡ୍ ଘେରାଉ କରିବା ସହ ଗୁଡ଼ିଘାଟ-ମୁରିବାହାଲ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି।
ସୂଚନା ଅନୁସାରେ, ଗତ ୩ ଦିନ ହେବ ଇଛାପଡା, ଚଲକି ଓ ବାନ୍ଦୁପଲା ପରି ୩ଟି ପଞ୍ଚାୟତର ପ୍ରାୟ ୨୦ଟି ଗ୍ରାମରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ବିଭାଗୀୟ ଅଧିକାରୀମାନେ ହାତୀପଲଙ୍କ ସୁରକ୍ଷା ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା କହୁଥିବା ବେଳେ, ଏହା କେବଳ ଏକ ବାହାନା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରବଳ ଗରମରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଥିବା ବେଳେ ବିଦ୍ୟୁତ ବିଭାଗ କୌଣସି ବିକଳ୍ପ ବ୍ୟବସ୍ଥା ନକରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।
ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଦେଖି ଗ୍ରାମବାସୀମାନେ ଗତକାଲି ସନ୍ଧ୍ୟାରେ ଗ୍ରିଡ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସେମାନେ ଗୁଡ଼ିଘାଟ-ମୁରିବାହାଲ ମୁଖ୍ୟରାସ୍ତା ଅବରୋଧ କରିଥିଲେ। ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ଲୋକେ ରାସ୍ତାରେ ବସି ରହିଥିଲେ ମଧ୍ୟ ବିଭାଗୀୟ କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଆସି ନଥିବାରୁ ଉତ୍ତେଜନା ଆହୁରି ବଢ଼ିଥିଲା।
ଆନ୍ଦୋଳନକାରୀଙ୍କ କହିବା କଥା ଯେ, ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ଫଳରେ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି। ଯଦି ତୁରନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ପ୍ରଦାନ କରା ନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories