କ୍ୱାକ୍ଙ୍କ ଇଞ୍ଜେକସନ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ଘଟଣା : ତଦନ୍ତ ପାଇଁ ‘ଏନଫୋର୍ସମେଣ୍ଟ ଟିମ୍’ ଗଠନ ।
ବଲାଙ୍ଗୀର,୧୩।୫: ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଛି ମରଣର ଖେଳ। ଜଣେ ନକଲି ଡାକ୍ତର ବା ‘କ୍ୱାକ୍’ଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଅସହାୟ ବୃଦ୍ଧାଙ୍କ ଜୀବନ ଯିବା ପରି ଅଭାବନୀୟ ଘଟଣା ଏବେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ କର୍ଲାପିଟା ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କର୍ଲାପିଟା ଗ୍ରାମର ଜଣେ ବୃଦ୍ଧା ଅସୁସ୍ଥ ହେବା ପରେ ହଳଦୀ ସ୍ଥିତ ଏକ ମେଡିକାଲ ଷ୍ଟୋରକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଉପସ୍ଥିତ କ୍ୱାକ୍ ମହିଳାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ, ଇଞ୍ଜେକ୍ସନ ନେବାର କିଛି ସମୟ ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇ ପଡ଼ିଥିଲା ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଅଭିଯୋଗ ଅନୁଯାୟୀ, ମହିଳାଙ୍କ ମୃତ୍ୟୁ ପରେ ସଂପୃକ୍ତ କ୍ୱାକ୍ ଜଣକ ନିଜର ଦୋଷ ଲୁଚାଇବା ପାଇଁ ସବୁ ସୀମା ପାର କରିଥିଲେ। ମୃତ ବୃଦ୍ଧାଙ୍କ ଶବକୁ ଏକ ବାଇକ୍ରେ ବସାଇ ନେଇ ତାଙ୍କ ଘର ସମ୍ମୁଖରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କେବଳ ସେତିକି ନୁହେଁ, ମୁହଁ ବନ୍ଦ ରଖିବା ପାଇଁ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କା ଦେଇଥିବା ମଧ୍ୟ ମୃତକଙ୍କ ନାତୁଣୀ ଗଣମାଧ୍ୟମ ଆଗରେ କହିଛନ୍ତି ।
ମେଡିକାଲ ଷ୍ଟୋର ମାଲିକ ତଥା କ୍ୱାକ୍ ଟୁନୁ ବଗର୍ତ୍ତୀଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆସିଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ତାଙ୍କ ଅନୁପସ୍ଥିତିରେ ସେଲ୍ସମ୍ୟାନ୍ ମୁକେଶ ଜାନୀ ଏହି ଚିକିତ୍ସା କରିଥିଲେ।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବଲାଙ୍ଗୀର CDMO ପୁଷ୍ପାଞ୍ଜଳି ମିଶ୍ର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ. ଥବୀର ମେହେରଙ୍କ ନେତୃତ୍ୱରେ ଏକ ‘ଏନଫୋର୍ସମେଣ୍ଟ ଟିମ୍’ ଗଠନ କରାଯାଇଛି। ଏହି ଟିମ୍ରେ ମୁରିବାହାଲ ତହସିଲଦାର ଏବଂ ସ୍ଥାନୀୟ ପୋଲିସ (IIC) ସାମିଲ ରହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି ।
ଗରିବ ଓ ଦାଦନ ପ୍ରବଣ ଏହି ବ୍ଲକ୍ ଅଞ୍ଚଳରେ ସରକାରୀ ସ୍ୱାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଲୋକେ ଏଭଳି ନକଲି ଡାକ୍ତରଙ୍କ ଶିକାର ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଏଭଳି ଅନେକ ବେଆଇନ କ୍ଲିନିକ ଓ ମେଡିକାଲ ଷ୍ଟୋର ଉପରେ ଚଢ଼ାଉ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଦଣ୍ଡବିଧାନ ପାଇଁ ସାଧାରଣରେ ଦାବି ହେଉଛି।

