Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ବୈଠକରେ ତୀବ୍ର ଅସନ୍ତୋଷ: ପ୍ରଶାସନିକ ଅବହେଳା ପ୍ରତିବାଦରେ ୧୯ ସରପଞ୍ଚଙ୍କ କକ୍ଷତ୍ୟାଗ ।

ବଲାଙ୍ଗୀର,୧୩।୫: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ବ୍ଲକର ୧୯ ଜଣ ନିର୍ବାଚିତ ସରପଞ୍ଚ ଏକକାଳୀନ ବୈଠକ ବର୍ଜନ କରି କକ୍ଷତ୍ୟାଗ କରିଛନ୍ତି। ଏହି ଘଟଣାକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ଯୋଜନାଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ସରପଞ୍ଚମାନଙ୍କୁ ସଠିକ୍ ଗୁରୁତ୍ୱ ଦିଆଯାଉ ନାହିଁ। ବିଭିନ୍ନ ସମୟରେ ପ୍ରଶାସନିକ ସ୍ତରରେ ସେମାନଙ୍କୁ ଅବହେଳା କରାଯାଉଥିବା ନେଇ ସରପଞ୍ଚମାନେ ଦୀର୍ଘ ଦିନରୁ ଅସନ୍ତୋଷ ବ୍ୟକ୍ତ କରି ଆସୁଥିଲେ। ଆଜି ବୈଠକ ଚାଲିଥିବା ସମୟରେ ଏହି ପ୍ରସଙ୍ଗକୁ ନେଇ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା।
ପରିସ୍ଥିତି ବିଗିଡ଼ୁଥିବା ଦେଖି ବଙ୍ଗୋମୁଣ୍ଡା ବ୍ଲକର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଅସନ୍ତୁଷ୍ଟ ସରପଞ୍ଚମାନଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସରପଞ୍ଚମାନେ ନିଜ ଜିଦ୍‌ରେ ଅଟଳ ରହିବା ସହ ପ୍ରଶାସନର କାର୍ଯ୍ୟଶୈଳୀକୁ ତୀବ୍ର ସମାଲୋଚନା କରି ବୈଠକ ଅଧାରୁ ଉଠି ପଳାଇଥିଲେ।
ସରପଞ୍ଚମାନଙ୍କ ଏହି ସାମୂହିକ କକ୍ଷତ୍ୟାଗ ଫଳରେ ବ୍ଲକର ବିକାଶମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର ସମୀକ୍ଷା ବାଧାପ୍ରାପ୍ତ ହୋଇଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ଅଭିଯୋଗକୁ ପ୍ରଶାସନ କିଭଳି ଭାବେ ଗ୍ରହଣ କରୁଛି ଏବଂ ଆଗାମୀ ଦିନରେ ଏହି ବିବାଦର ସମାଧାନ କିପରି ହେଉଛି, ତାହା ଏବେ ଦେଖିବାକୁ ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories