ବଲାଙ୍ଗିରରେ ନବଜାତ ଶିଶୁକନ୍ୟା ବିକ୍ରି ଅଭିଯୋଗ: ଘରୋଇ ହସ୍ପିଟାଲର ନର୍ସଙ୍କ ମାଧ୍ୟମରେ ଷ୍ଟାମ୍ପ ପେପରରେ ହସ୍ତାନ୍ତର, ଶିଶୁ ମଙ୍ଗଳ କମିଟିର ହସ୍ତକ୍ଷେପ ।
ବଲାଙ୍ଗିର,୧୬।୧୦: ବଲାଙ୍ଗୀରର ଏକ ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କ ମାଧ୍ୟମରେ ନବଜାତ ଶିଶୁକନ୍ୟାକୁ ବେଆଇନ ଭାବେ ଅନ୍ୟତ୍ର ହସ୍ତାନ୍ତର କରାଯାଇଥିବା ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ପାଟଣାଗଡ଼ ଅଞ୍ଚଳର ଏକ ଗରିବ ଦମ୍ପତିଙ୍କ ଆର୍ଥିକ ଅବସ୍ଥାର ସୁଯୋଗ ନେଇ ଏହି କାଣ୍ଡ ଭଟାଯାଇଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ମୁତାବକ, ପାଟଣାଗଡ଼ ଅଞ୍ଚଳର ଜଣେ ପ୍ରସୂତୀ ବଲାଙ୍ଗିର ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପୂର୍ବରୁ ସେମାନଙ୍କର ତିନୋଟି ଝିଅ ଥିବାବେଳେ ଚତୁର୍ଥ ସନ୍ତାନ ମଧ୍ୟ କନ୍ୟାସନ୍ତାନ ହୋଇଥିଲା। ପରିବାରର ଦୁର୍ବଳ ଆର୍ଥିକ ସ୍ଥିତିର ସୁଯୋଗ ନେଇ ହସ୍ପିଟାଲର ଜଣେ ନର୍ସ ଶିଶୁଟିକୁ ନିଜେ ଲାଳନପାଳନ କରିବେ କହି କୌଶଳକ୍ରମେ ନିଜ ପାଖକୁ ନେଇଯାଇଥିଲେ। ପରେ ଏକ ଷ୍ଟାମ୍ପ ପେପରରେ ଲେଖାପଢ଼ା କରାଯାଇ ଜଣେ ନିସନ୍ତାନ ଦମ୍ପତିଙ୍କୁ ଶିଶୁଟିକୁ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ହୋଇଛି।
ତେବେ ଘଟଣାଟି ଏତିକିରେ ସୀମିତ ନଥିଲା। କିଛି ଦିନ ପରେ ନର୍ସ ଜଣକ ପୁଣି ଶିଶୁକନ୍ୟାକୁ ଫେରାଇ ମାଗିଥିଲେ। କିନ୍ତୁ ଶିଶୁକୁ ଗ୍ରହଣ କରିଥିବା ଦମ୍ପତିଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେମାନେ ଶିଶୁକୁ ଦେବାକୁ ମନା କରିଦେଇଥିଲେ ଏବଂ ପ୍ରକୃତ ଜନ୍ମଦାତା ବାପା-ମାଆଙ୍କୁ ଏହି କଥା ଜଣାଇବାକୁ କହିଥିଲେ। ଏହାପରେ ହିଁ ସମଗ୍ର ଘଟଣାର ପର୍ଦ୍ଦାଫାସ ହୋଇଛି।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବର୍ତ୍ତମାନ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଶୁ ହସ୍ତାନ୍ତର ପଛରେ କୌଣସି ଆର୍ଥିକ କାରବାର ବା ମୂଲଚାଲ ହୋଇଥିଲା କି, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏପରିକି ଜନ୍ମଦାତା ଦମ୍ପତିଙ୍କୁ ଶିଶୁକନ୍ୟାର ମୃତ୍ୟୁ ହୋଇସାରିଛି ବୋଲି ମଧ୍ୟ ମିଥ୍ୟା ସୂଚନା ଦିଆଯାଇଥିବା ଅଭିଯୋଗ ଆସିଛି। ଏହି ପ୍ରସଙ୍ଗ ସମ୍ପର୍କିତ ଏକ ଅଡିଓ କଥାବାର୍ତ୍ତା ମଧ୍ୟ ଏବେ ସାମ୍ନାକୁ ଆସିଛି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିଶୁ ମଙ୍ଗଳ କମିଟି (CWC) ପକ୍ଷରୁ ହସ୍ତକ୍ଷେପ କରାଯାଇଛି ଏବଂ ଶିଶୁକନ୍ୟାକୁ ସମ୍ପୂର୍ଣ୍ଣ ବେଆଇନ ଭାବେ ହସ୍ତାନ୍ତର କରାଯାଇଥିବା ସ୍ପଷ୍ଟ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିଲେ ହେଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

