Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

UCCକୁ ମୁସଲିମ ମହିଳାଙ୍କ ସମର୍ଥନ, ୬୭ ପ୍ରତିଶତ ଚାହାନ୍ତି ଗୋଟିଏ ସମାନ ଆଇନ: ସର୍ଭେ

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ଭାରତରେ ବିତର୍କ ଜାରି ରହିଛି। ଏହା ମଧ୍ୟରେ ଏକ ସର୍ଭେରୁ ଖୁଲାସା ହୋଇଛି ଯେ, ଭାରତର ଅଧିକାଂଶ ମୁସଲିମ ମହିଳା ବିବାହ, ତଲାକ ପରି ପ୍ରକ୍ରିୟା ପାଇଁ ଗୋଟିଏ ଆଇନର ସମର୍ଥନ କରିଛନ୍ତି। ଯଦି ଭାରତରେ ୟୁସିସି କାର୍ଯ୍ୟକାରୀ ହୁଏ ତେବେ ଏହା ବର୍ତ୍ତମାନ ପ୍ରଚଳିତ ପର୍ସନାଲ ଲର ସ୍ଥାନ ନେବ। ତେବେ ୟୁସିସି କେବେ କାର୍ଯ୍ୟକାରୀ ହେବ ତାକୁ ନେଇ ସ୍ଥିତି ଅସ୍ପଷ୍ଟ ରହିଛି।

ସର୍ଭେରେ ୧୮ରୁ ୫୪ ବର୍ଷ ଏବଂ ତଦୁର୍ଦ୍ଧ୍ଵ ବୟସର ମହିଳାଙ୍କୁ ମଧ୍ୟ ସାମିଲ୍ କରାଯାଇଥିଲା। ୨୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନ୍ୟୁଜ ୧୮ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ୮ ହଜାର ୩୫ ମୁସଲିମ ମହିଳାଙ୍କ ମତାମତ ନିଆଯାଇଥିଲା। ଖାସ୍ କଥା ମହିଳାଙ୍କ ସାମ୍ନାରେ ୟୁସିସି ବିଷୟରେ ଉଲ୍ଲେଖ ବି କରାଯାଇ ନ ଥିଲା। କେବଳ ଗୋଟିଏ ସମାନ ଆଇନକୁ ନେଇ ପ୍ରଶ୍ନ କରାଯାଇଥିଲା। ଏଥିରେ ଅଶିକ୍ଷିତ ମହିଳାଙ୍କଠୁ ନେଇ ପିଜି ପର୍ଯ୍ୟନ୍ତ ଅନେକ ମହଳା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପ୍ରଶ୍ନ ପଚରା ଯାଇଥିଲା ଯେ, କଣ ଆପଣମାନେ ବିବାହ, ତଲାକ, ପୋଷ୍ୟ ସନ୍ତାନ ଗ୍ରହଣ ପରି ପ୍ରକ୍ରିୟାରେ ସମସ୍ତ ଭାରତୀୟଙ୍କ ପାଇଁ ସମାନ ଆଇନକୁ ସମର୍ଥନ କରିବେ। ଏହା ଉପରେ ସର୍ଭେରେ ସାମିଲ୍ ୫ ହଜାର ୪୦୩ ମହିଳା ଅର୍ଥାତ ୬୭.୨ ପ୍ରତିଶତ ସହମତି ପ୍ରକାଶ କରିଥିଲେ। ଅନ୍ୟପଟେ ୨୫.୪ ପ୍ରତିଶତ ଅର୍ଥାତ ୨୦୩୯ ମହିଳା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ମାତ୍ର ୫୯୩ ମହିଳା ଥିଲେ ଯେଉଁମାନେ ଏହା ଉପରେ ନିଜର ମତ ରଖି ନ ଥିଲେ।

ରିପୋର୍ଟ ଅନୁସାରେ ଶିକ୍ଷିତ ବର୍ଗ(ଗ୍ରାଜୁଏଟ)ରେ ଉପରେ ନଜର ପକାଇଲେ, ୬୮.୪ ପ୍ରତିଶତ ଅର୍ଥାତ ୨୦୭୬ ମହିଳା ସମାନ ଆଇନ ପକ୍ଷରେ ଥିବା ବେଳେ ୮୨୦ ଏହାକୁ ଅଗ୍ରାହ୍ୟ କରିଥିଲେ। ୧୩୭ ଜଣ କୌଣସି ମତ ରଖି ନ ଥିଲେ। ସର୍ଭେରେ ୧୦.୮ ପ୍ରତିଶତ ମହିଳା ପିଜି, ୨୭ ପ୍ରତିଶତ ଗ୍ରାଜୁଏଟ, ୨୦.୮ ପ୍ରତିଶତ ଯୁକ୍ତ ୨, ୧୩.୮ ପ୍ରତିଶତ ଦଶମ, ୧୨.୯ ପ୍ରତିଶତ ପଞ୍ଚମରୁ ୧୦ମ ମଧ୍ୟରେ ଏବଂ ୪.୪ ପ୍ରତିଶତ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି।

ସର୍ଭେ ଅନୁସାରେ, ଉତ୍ତର ରଖିଥିବା ମହିଳାଙ୍କ ମଧ୍ୟରେ ୭୩.୧ ପ୍ରତିଶତ ସୁନ୍ନି, ୧୩.୩ ପ୍ରତିଶତ ସିଆ ଏବଂ ୧୩.୬ ପ୍ରତିଶତ ଅନ୍ୟ ବର୍ଗର ଥିଲେ। ଖାସ୍ କରି ୧୮ରୁ ୨୪ ବର୍ଷ ମଧ୍ୟରେ ୧୮.୮ ପ୍ରତିଶତ ଯୁବତୀ ଥିଲେ। ସେହିପରି ୨୫ରୁ ୩୪ ବର୍ଷ ବୟସର ୩୨.୯ ପ୍ରତିଶତ ମହିଳା, ୩୪ରୁ ୪୪ ମଧ୍ୟରେ ୨୬.୬ ପ୍ରତିଶତ, ୪୫ରୁ ୫୪ ଭିତରେ ୧୪.୪ ପ୍ରତିଶତ, ୫୫ରୁ ୬୪ ମଧ୍ୟରେ ୫.୪ ପ୍ରତିଶତ ଏବଂ ୬୫ରୁ ଅଧିକ ବୟସର ୧.୯ ପ୍ରତିଶଥ ମହିଳା ଥିଲେ। ସେଥିରୁ ୭୦.୩ ପ୍ରତିଶତ ବିବାହିତ ଏବଂ ୨୪.୧ ପ୍ରତିଶତ ଅବିବାହିତ ଥିଲେ। ୨.୯ ପ୍ରତିଶତ ବିଧବା ଏବଂ ୨.୯ ପ୍ରତିଶତଙ୍କ ତଲାକ ହୋଇ ସାରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ