Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ଲକ୍ ଅଧ୍ୟକ୍ଷାଙ୍କ ଚ୍ୟାମ୍ବରରେ ତୁମୁଳକାଣ୍ଡ ଘଟଣା… ସର୍ଡା ସମିତି ସଭ୍ୟ ଓ ସହଯୋଗୀ ଗିରଫ …ବିଜେଡି ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ଗଡୁଛି

ଜମନକିରା : ଜିଲ୍ଳାରେ ଜମନକିରା ବ୍ଲକ ରାଜନୈତିକ ଉତ୍ଥାନ ପତନକୁ ନେଇ ସର୍ବଦା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥାଏ। ଗତ ୧୧ ତାରିଖ ଶୁକ୍ରବାର ଦିନ ବ୍ଲକ ଅଧ୍ୟକ୍ଷାଙ୍କ ଚ୍ୟାମ୍ବର ଭିତରେ ସେଭଳି ଏକ ରାଜନୈତିକ ବିବାଦକୁ ସୂତ୍ରପାତ ଘଟିଛି। ଏଥର ଜମନକିରା ବ୍ଲକ ବିଜେଡି ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଠିକା କାମ ଆବଣ୍ଟନକୁ ନେଇ ବଚସା ପରେ ମାଡ଼ ପିଟ ପରେ ଥାନାରେ ମାମଲା ପର୍ଯ୍ୟନ୍ତ କଥା ଯାଇଛି। ଏହି ଘଟଣାରେ ଜମନକିରା ବ୍ଲକ ସର୍ଡ଼ା ପଂଚାୟତ ସମିତି ସଭ୍ୟ ସିରନୁସ ସୋରେନ ଓ ତାଙ୍କ ସହଯୋଗୀ ଆଶିଷ ଦାସ ଗିରଫ ହୋଇ ଜେଲହାଜତ କୁ ଯିବା ଘଟଣା ରାଜନୈତିକ ମହଲରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଗତ ୧୧ ତାରିଖ ଅପରାହ୍ନ ୧ ଟା ପାଖାପାଖି ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ ବିଡ଼ିଓଙ୍କୁ ଡ଼ାକି ବିଭିନ୍ନ ଉନ୍ନୟନ କାମ ସମେତ ସର୍ଡା ୫ଟି ହାଇସ୍କୁଲ୍ ରୂପାନ୍ତରଣ ଠିକା କାମ ବିଷୟରେ ଆଲୋଚନା କରିଥିଲେ। ସେଠାରେ ଉପସ୍ଥିତ ଥିବା ସର୍ଡା ସମିତି ସଭ୍ୟ ସିରନୁସ ସୋରେନ ତାଙ୍କ ପଂଚାୟତର ୫ଟି ରୂପାନ୍ତରଣ କାମ ସେ ଅନ୍ୟ କାହାକୁ ଦେବେ ନାହିଁ ବୋଲି ରୋକଠୋକ ମନା କରିଥିଲେ। ଯେହେତୁ ବ୍ଲକ ଅଧ୍ୟକ୍ଷା ନିର୍ବାଚନ ବେଳେ ଅନ୍ୟ ସମିତି ସଭ୍ୟ ଭଳି କିଣା ବିକା ବ୍ୟାପାର ରେ କାହାଠାରୁ ଟଙ୍କା ଟିଏ ନେଇ ନାହାନ୍ତି ତେଣୁ ଏହି କାମ ସେ କରିବେ ବୋଲି ଜିଦ ଧରିଥିଲେ। ଉକ୍ତ ପଂଚାୟତରେ ତାଙ୍କ ସହଯୋଗୀ ଦ୍ଵାରା ହୋଇଥିବା କୋଠା ଛାତ କାମ ନିମ୍ନମାନର ଅଭିଯୋଗ ହେଉଥିବାରୁ ୫ଟି ହାଇସ୍କୁଲ ରୂପାନ୍ତରଣ କାମରେ କ୍ୱାଲିଟି କାମ ଆବଶ୍ୟକ ତେଣୁ ତୁମକୁ କିଭଳି ଦିଆଯିବ ବୋଲି କହିଥିଲେ। ପୂର୍ବରୁ ଅନ୍ୟ ଏକ କାମ କରି ସାରିଛ ତେଣୁ ଏହାକୁ ଦିଆଯାଇପାରିବ ନାହିଁ ବୋଲି ବ୍ଲକ୍ ଅଧ୍ୟକ୍ଷା ଆଶ୍ରିତା ଭୋଇ କହିଥିଲେ। ଉଭୟଙ୍କ ମଧ୍ୟରେ କଥା କଟି ହେବା ବେଳେ ତାଙ୍କ ସହଯୋଗୀ ମଧ୍ଯ ଚ୍ୟାମ୍ବର୍ ଭିତରେ ପାଟିତୁଣ୍ଡ କରି ମାଡ଼ ପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ସମୟରେ ବିଜେଡି ସଭାନେତ୍ରୀ ତଥା ଟିକୀବା ସମିଟିସଭ୍ୟା ସ୍ନିଗ୍ଧା ପଟେଲ ମଧ୍ଯ ଉପସ୍ଥିତ ଥିଲେ। ଗତ ୧୧ ତାରିଖ ଦିନ ବ୍ଲକ ଅଧ୍ୟକ୍ଷା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରଦତ୍ତ ଅଭିଯୋଗ ରେ ଦର୍ଶାଇଛନ୍ତି ଯେ, ସର୍ଡା ସମିତି ସଭ୍ୟ ସିରନୁସ ସୋରେନ ଓ ତାଙ୍କ ସହଯୋଗୀ ଆଶିଷ ଦାସ ତାଙ୍କ ଚ୍ୟାମ୍ବର ଭିତରକୁ ଅତର୍କିତ ଭାବେ ପଶି ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବ୍ଲକ ଯୁବ ବିଜେଡ଼ି ସଭାପତି ସୁଦୀପ ଦେବ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରିତିଶ ପଟେଲ, ଖରସନମାଲ ସମିତି ସଭ୍ୟ ସୁଶିଲ ମିର୍ଦ୍ଧା, ପୂର୍ବତନ ବ୍ଲକ ସଭାପତି ରାଜେଶ ନାୟକ , ଭୋଜପୁର ର ସୁବ୍ରତ ପଟେଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ତାଙ୍କ କଥା ନ ମାନିଲେ ଜୀବନରୁ ମାରି ଦେବୁ ବୋଲି ଧମକ ଦେଇଥିଲେ। ସମିତି ସଭ୍ୟ ସିରନୁସ ସୋରେନ ଟେବୁଲ ପାଖକୁ ଦୌଡ଼ି ଆସି ତାଙ୍କୁ ହାତ ଉଠାଇ ମାରିବାକୁ ଉଦ୍ୟାନ କରିଥିଲେ। ସେଠାରେ କେହି ଉପସ୍ଥିତ ନ ଥିଲେ ତାଙ୍କୁ ବାଡେଇ ଥାନ୍ତେ ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ଯ ଏହି ଦୁଇ ଜଣ ତାଙ୍କ ଅଫିସ କୁ ଆସି ଧମକ ଚମକ ଦେଇଥିଲେ। ତେଣୁ ତାଙ୍କ ଅଫିସ ରେ ନିଜକୁ ସୁରକ୍ଷିତ ମଣୁ ନ ଥିବା ବେଳେ ଭୟ ମଧ୍ଯ ଲାଗୁଥିବା ଦର୍ଶାଇଛନ୍ତି। ତାଙ୍କ ପରିବାର ଜୀବନ ପ୍ରତି ବିପଦ ରହିଥିବାରୁ ଆବଶ୍ୟକ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ଜଣାଇଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କ ରିପୋର୍ଟ ଆଧାରରେ ଶନିବାର ରାତିରେ ପୁଲିସ ସର୍ଡା ସମିତି ସଭ୍ୟ ସିରନୁସ ସୋରେନ ଓ ତାଙ୍କ ସହଯୋଗୀ ଆଶିଷ ଦାସଙ୍କୁ ଘରୁ ଉଠାଇ ନେଇଥିଲା। ଉଭୟ ଙ୍କୁ ଥାନାରେ ଜେରା ପରେ ତାଙ୍କୁ ଡାକ୍ତରୀ ଯାଞ୍ଚ ସାରି କୋର୍ଟ ଚାଲାଣ କରାଯାଇଥିଲା। ଜମନକିରା ଥାନା କେଶ ନଂ ୮୯/ତା ୧୧/୦୩/୨୦୨୩, ଆଇପିସି ଦଫା ୩୪୧, ୨୯୪,୩୫୪,୫୦୬, ୫୧୧, ୩୪ ମାମଲା ରୁଜୁ ହୋଇଛି। କୁଚିଣ୍ଡା ଏସଡିଜେଏମ କୋର୍ଟ ରେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ ଜେଲ ହାଜତକୁ ପଠାଇ ଦିଆଯାଇଛି।