Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାରା ୩୭୦ ଉଚ୍ଛେଦ ବୈଧ, ସେପ୍ଟେମ୍ବର ୩୦ ସୁଦ୍ଧା କରାଯାଉ ନିର୍ବାଚନ; SCଙ୍କ ୧୦ ବଡ଼ ଟିପ୍ପଣୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୈଧ ଦର୍ଶାଇ ସୋମବାର ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ବିଧାନସଭା ଯଦି ଭଙ୍ଗ ଥିଲା ଏବଂ ରାଷ୍ଟ୍ରପତି ଶାସନ ଲାଗୁଥିଲା ତେବେ କେନ୍ଦ୍ର ସରକାରଙ୍କ ପାଖରେ ଧାରା ୩୭୦ ଉପରେ ନିଷ୍ପତ୍ତି ନେବାର ଅଧିକାର ରହିଛି। ତେଣୁ ଧାରା ୩୭୦ ହଟାଇବା ସାମ୍ବିଧାନିକ ଭାବେ ସଂପୂର୍ଣ୍ଣ ବୈଧ୍ୟ ଅଟେ। ଭାରତର ସମ୍ବିଧାନ ଅନୁସାରେ ଜାମ୍ମୁ-କାଶ୍ମୀର ଚାଲିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆସନ୍ତୁ ୧୦ ପଏଣ୍ଟରେ ଜାଣିବା ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ଵପୂର୍ଣ୍ଣ ରାୟ ବିଷୟରେ।

୧ – ଧାରା ୩୭୦କୁ ହଟାଇବା ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ବୈଧ ଥିଲା। ରାଷ୍ଟ୍ରପତିଙ୍କ ନିକଟରେ ଏହାକୁ ହଟାଇବା ସାମ୍ଵିଧାନିକ ଶକ୍ତି ଥିଲା। କାରଣ ସେ ସମୟରେ ବିଧାନସଭା ଭଙ୍ଗ ହୋଇ ସାରିଥିଲା। ଏହି ନିଷ୍ପତ୍ତି ପାଇଁ ବିଧାନସଭାର ସହମତି ଜରୁରୀ ନ ଥିଲା।

୨ – ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ପୀଠ କହିଛନ୍ତି ଧାରା ୩୭୦ ଅସ୍ଥାୟୀ ପ୍ରାବଧାନ ଥିଲା ଏବଂ ଏହା କେବଳ ସ୍ଥିତି ଅନୁସାରେ ଲାଗୁ ହୋଇଥିଲା।

୩ – ଅଦାଲତ କହିଛନ୍ତି ଜାମ୍ମୁ-କାଶ୍ମୀରର କୌଣସି ସ୍ଵତନ୍ତ୍ର ସାର୍ବଭୌମତ୍ଵ ନ ଥିଲା। ରାଜ୍ୟର ଯେବେ ଭାରତ ସହ ବିଲୟ ଘଟିଲା, ସେତେବେଳେ ନିଜର ସାର୍ବଭୌମତ୍ଵ ମଧ୍ୟ ଭାରତ ସହ ବିଲୀନ ହୋଇ ସାରିଥିଲା।

୪ – ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟ କୌଣସି ସାମ୍ବିଧାନିକ ତ୍ରୁଟି ଦେଖିବାକୁ ପାଇ ନାହାନ୍ତି। ଏତେ ବର୍ଷ ପରେ ଏହି ନିଷ୍ପତ୍ତିର ବୈଧତା ଉପରେ ତର୍କ କରିବା ଉଚିତ୍ ନୁହେଁ।

୫ – ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଧାରା ୩୭୦ ଏକ ଅସ୍ଥାୟୀ ପ୍ରାବଧାନ ଥିଲା।

୬ – ନୂତନ ପରିସୀମା ଆଧାରରେ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୭ – ଜାମ୍ମୁ-କାଶ୍ମୀରକୁ ଯଥା ସମ୍ଭବ ରାଜ୍ୟ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୮ – ଅନୁଚ୍ଛେଦ ୩୫୬ରେ ରାଷ୍ଟ୍ରପତିଙ୍କୁ ସ୍ଵତନ୍ତ୍ର କ୍ଷମତା ଦେଇଛି। ଏହାକୁ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ। ତେଣୁ ଧାରା ୩୭୦ ହଟାଇବା ସାମ୍ବିଧାନିକ ଭାବେ ସଂପୂର୍ଣ୍ଣ ବୈଧ୍ୟ ଅଟେ।

୯ – ଧାରା ୩୭୦କୁ ନେଇ ୫ ଜଜଙ୍କ ଖଣ୍ଡପୀଠ ମୋଟ୍ ତିନୋଟି ରାୟ ଲେଖିଛନ୍ତି। ଏହି ନିଷ୍ପତ୍ତି ଭିନ୍ନ ଭିନ୍ନ ରହିଥିଲେ ମଧ୍ୟ ଏହାର ନିଷ୍କର୍ସ ସମାନ ରହିଛି।

୧୦ – ଅଦାଲତ କହିଛନ୍ତି, ଅନ୍ୟ ରାଜ୍ୟ ପରି ଜାମ୍ମୁ-କାଶ୍ମୀରର ମଧ୍ୟ କୌଣସି ସାର୍ବଭୌମତ୍ଵ ନାହିଁ। ଜାମ୍ମୁ-କାଶ୍ମୀରର ମହାରାଜା ହରି ସିଂ ଯେବେ ବିଲୟ ନିଷ୍ପତ୍ତି ନେଲେ ସେହି ସମୟରେ ହିଁ ରାଜ୍ୟର ସାର୍ବଭୌମତ୍ଵ ବିଲୀନ ହୋଇ ସାରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ