ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ବଡ ମୁକାବିଲା ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଆସିଛି ନିରାଶଜନକ ଖବର । ଆଉ ଭାରତୀୟ ଦଳର ଚିନ୍ତା ବଢିଛି । ପ୍ରାକ୍ଟିସ ସେସନରେ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଆଘାତ ଲାଗିିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଅଭ୍ୟାସ ସେସନରେ ରୋହିତଙ୍କ ବାମ ଆଙ୍ଗୁଠିରେ ବଲ ବାଜିିଛି । ହେଲେ କିଛି ଚିକିତ୍ସା ପରେ ରୋହିତ ଶର୍ମା ପୁଣି ଥରେ ଅଭ୍ୟାସ୍ ଆରମ୍ଭ କରିଥିଲେ । ତେବେ ଗୋଟିଏ ସପ୍ତାହରେ ରୋହିତ ଶର୍ମା ଦ୍ୱିତୀୟ ଥର ଆହତ ହୋଇଛନ୍ତି ।
ରୋହିତ ଶର୍ମାଙ୍କୁ ଆୟରଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ କାନ୍ଧରେ ଆଘାତ ଲାଗିଥିଲା । ରୋହିତ ଉକ୍ତ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇଥିଲେ । ଏହା ପରେ ସେ ରିଟାୟର୍ଡ ହଟ୍ ହୋଇଥିଲେ । ମ୍ୟାଚ୍ ପରେ ରୋହିତ ଶର୍ମା କହିଥିଲେ, ତାଙ୍କ କାନ୍ଧରେ କିଛିଟା ଯନ୍ତ୍ରଣା ଲାଗୁଛି ଏବଂ ଟୁର୍ଣ୍ଣାମେଣ୍ଟରେ କୌଣସି ରିସ୍କ ଉଠାଇବାକୁ ଚାହୁଁ ନାହାନ୍ତି । ଏବେ ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିବା ପ୍ରଶଂସକଙ୍କ ହୃଦ କମ୍ପନ ବଢାଇ ଦେଇଛି । ଆଙ୍ଗୁଠିରେ କେତେ ଆଘାତ ଲାଗିଛି ତାହା ଜଣା ପଡିନି । କିନ୍ତୁ ଆଶ୍ୱସ୍ତିକର କଥା ରୋହିତ ଅଭ୍ୟାସ୍ ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ, ନ୍ୟୁୟର୍କର ନାସାଓ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ପିଚକୁ ନେଇ ପ୍ରଶ୍ନ ଉଠି ସାରିଛି । ପିଚରେ ଅସ୍ୱାଭାବିକ ବାଉନ୍ସ ଦେଖିବାକୁ ମିଳିଛି । ପିଚର ପ୍ରକୃତି ଚିନ୍ତାଜନକ ରହିଛି । ଭାରତ ଏବଂ ଆୟରଲାଣ୍ଡ ମ୍ୟାଚରେ ବ୍ୟାଟରଙ୍କୁ ବହୁତ ମୁସ୍କିଲର ସାମ୍ନା କରିବାକୁ ପଡିଥିଲା । ଏପରିକି ଏହି ଷ୍ଟାଡିୟମରୁ ମ୍ୟାଚ୍ ଅନ୍ୟତ୍ର ସ୍ଥାନାନ୍ତର ନେଇ ମଧ୍ୟ କଥା ଉଠିଥିଲା । କିନ୍ତୁ ଆଇସିସି ଏଠାରେ ମ୍ୟାଚ୍ ଜାରି ରହିବ ବୋଲି ସ୍ପଷ୍ଟ କରି ସାରିଛି ।