ଭୁବନେଶ୍ବର: ଦୀର୍ଘ ୩ ମାସ ପରେ ପୁଣି ଥରେ ଭିତରକନିକା ଜାତୀୟ ଉଦ୍ୟାନରେ ବୁଲିବାକୁ ମିଳିବ ସୁଯୋଗ । କାରଣ ୩ ମାସ ବନ୍ଦ ରହିବା ପରେ ଆଜିଠାରୁ ଖୋଲୁଛି ଏହି ଜାତୀୟ ଉଦ୍ୟାନ । ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ କାରଣରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା ।
ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ଦେବା ପାଇଁ ଚଳିତବର୍ଷ ଡାଙ୍ଗମାଳ ଠାରେ ୧୫ ଫୁଟ ଉଚ୍ଚରେ ବନ ବିଭାଗ କରିଛି ସ୍କାଏ ୱlକ୍ । ଏହାର ଲମ୍ବ ୬୦୦ ମିଟର ରହିଛି । ଏହା ଉପର ଦେଇ ଯିବା ବେଳେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହ ଜାତିଜାତିକା ପକ୍ଷୀ, ହରିଣ ଓ ସରୀସୃପମାନଙ୍କୁ ଦେଖିବାକୁ ପାଇବେ ।
ଏହା ବ୍ୟତୀତ ଭିତରକନିକାରେ ପ୍ରବାହିତ ନଦୀ ମଧ୍ୟରେ ରହଣି ପାଇଁ ମଧ୍ୟ ଚଳିତବର୍ଷ ୪ଟି କାଟା ମେରାଇନ ବୋଟର ସୁବିଧା ରହିଛି । ଫଳରେ ନଦୀ ଭିତରେ ସୌଖିନ ବୋଟରେ ପଞ୍ଚତାରକା ହୋଟେଲର ମଜା ନେଇପାରିବେ ପର୍ଯ୍ୟଟକ । ଭିତରକନିକାକୁ ପ୍ରବେଶ ପାଇଁ ଦୁଇଟି ଜଳପଥ ଓ ଗୋଟିଏ ସ୍ଥଳ ପଥ ରହିଛି । ଜଳପଥରେ ବୋଟ୍ ଯୋଗେ ପର୍ଯ୍ୟଟକ ଆସିବା ପାଇଁ ସୁବିଧା ଥିବା ବେଳେ, ସ୍ଥଳପଥରେ ସିଧା ଡାଙ୍ଗମାଳ ଜାତୀୟ ଉଦ୍ୟାନ ପାଖରେ ପହଞ୍ଚିବା ପାଇଁ ସୁବିଧା ରହିଛି । ବନ ବିଭାଗ ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ପରିଚୟପତ୍ର ବାଧ୍ୟତାମୂଳକ କରିବା ସହ ପ୍ଲାଷ୍ଟିକ ଓ ପଲିଥିନକୁ ସମ୍ପୂର୍ଣ ନିଷେଧ କରିଛି।