Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଗସାଇପାଟଣା ଗ୍ରାମ ପଞ୍ଚାୟତ ରେ ହାତୀ କରିଡର ହେଵ ବୋଲି ୩୫ ଖଣ୍ଡ ଗାଁ ବିଦ୍ୟୁତକାଟ ,ଡିବିର ଆଲୁଅ ରେ ବିତୁଛି ଜୀବନ

ଭବାନୀପାଟଣା: ଦେଶ ସ୍ଵାଧୀନ ହେବାର ୭୫ ବର୍ଷ ବିତିଲାଣି । ଏହା ଭିତରେ ସରକାରଙ୍କର ମାଳ ମାଳ ଯୋଜନା ହୋଇଛି । ବିକାଶ ନାଁରେ ପାଣି ପରି ବହିଛି କୋଟି କୋଟି ଟଙ୍କା । ହେଲେ ଏବେ ବି ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଓଡିଶାର ଅନେକ ଗାଁ । ଡିବିରି ଆଲୁଅରେ ଦିନ କାଟୁଛନ୍ତି ଶହ ଶହ ଲୋକେ । ଗାଁକୁ ଚାଲ ଗାଁକୁ ଗଢ଼ ସ୍ଲୋଗାନ ନେଇ ଗ୍ରାମାଞ୍ଚଳରେ ଗଡୁଥିବା ସରକାରଙ୍କ ବିକାଶ ରଥ ସତେ ଯେପରି ଆଦିବାସୀ ଅଧ୍ୟଷିତ ଉପାନ୍ନ ଅଞ୍ଚଳକୁ ପହଞ୍ଚି ପାରୁନି । ସେଭଳି କିଛି ଦୃଶ୍ୟ ରହିଛି କଳାହାଣ୍ଡିର ଅନ୍ଧାରିମୂଳକ ପାଲଟିଛି ଭବାନୀପାଟଣା ସଦର ବ୍ଳକର ଆଦିବାସୀ ବହୁଳ ଯୁଗସାଇପାଟଣା ପଞ୍ଚାୟତ। ଏହି ପଞ୍ଚାୟତର ପ୍ରାୟ ୩୫ଖଣ୍ଡ ଗାଁ କୁ ପାଦ ଚଲା ପକ୍କା ରାସ୍ତା ଖଣ୍ଡିଏ ନାହିଁ ଏବଂ ଗତ ଦଶ ବର୍ଷରୁ ଅନ୍ଧକାର ସହ ରହୁଛନ୍ତି। କର୍ଲାପାଟ ଭୟରାଣ୍ୟର ହାତୀ କରିଡ଼ର ଅଞ୍ଚଳ ହୋଇଥିବାରୁ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇ ପ୍ରାୟ ଦୁଇ ହଜାର ପରିବାରଙ୍କ ଜୀବନ ଡିବିରି ଆଲୁଅରେ କଟୁଛି। କେବଳ ଯୁଗସାଇପାଟଣାକୁ ବାଦଦେଲେ ପ୍ରାୟ ଗାଁ ଆଜିର ଶତାବ୍ଦୀରେ ଟେଲିଭିଜନ୍‌ ଦେଖିବାରୁ ମଧ୍ୟ ବଞ୍ଚିତ ହୋଇଆସୁଛନ୍ତି । ମୋବାଇଲ ୫-ଜି ସେବା ସରକାର ଆରମ୍ଭ କରିସାରିଥିବା ବେଳେ ଯୁଗସାଇପାଟଣା ପଞ୍ଚାୟତର ପ୍ରାୟ ଗାଁରେ ଇଣ୍ଟରନେଟ୍ ସେବା ଅପହଞ୍ଚ ହୋଇଛି । ଦେଶ, ବିଦେଶ, ରାଜ୍ୟ କଥା ଦୂରେ ଥାଉ କଳାହାଣ୍ଡି ଜିଲ୍ଲାରେ ଘଟୁଥିବା ଖବର ସଂପର୍କରେ ବି କିଛି ଜାଣିପାରୁ ନାହାନ୍ତି। ଯୁଗସାଇପାଟଣା ପଞ୍ଚାୟତର ନିଶାନଗୁଡ଼ା ଗାଁ ଠାରୁ ଆରମ୍ଭ କରି ପ୍ରାୟ ୩୦ କିଲୋମିଟର ପରିଧିରେ ଥିବା ତଳ ଉପର ପଞ୍ଚକୁଳ, ଟିଟିଝୁଲା, ମିଆଙ୍ଗପଦର, ମୁସିଗୁଡ଼ା, ହର୍ଡଗୁଡ଼ା ଭଳି ଅନେକ ଗାଁର ଶହଶହ ଗ୍ରାମବାସୀ ଏସବୁ ସୁବିଧାରୁ ବଞ୍ଚିତ ହେଉଥିବା ମୁସିଗୁଡା ଗ୍ରାମବାସୀ ଓ ଯୁଗସାଇପାଟଣାର ସମେତ ଅନ୍ୟ ଗ୍ରାମର ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ, ସବୁ ରାଜସ୍ବ ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି । ରାଜୀବ ଗାନ୍ଧୀ, ବିଜୁ ଜ୍ୟୋତି ଓ ସୌଭାଗ୍ୟ ଯୋଜନାରେ ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ଥିବା ଗାଁ ଗୁଡ଼ିକୁ ବିଦ୍ୟୁତ ସଂଯୋଗ ଯୁଗସାଇପାଟଣା ପଞ୍ଚାୟତ ଅଞ୍ଚଳ ପାଇଁ ନାମକୁ ମାତ୍ର। କାରଣ ପଞ୍ଚାୟତର ସର୍ବାଧିକ ଗାଁରେ ବିଜୁଳି ଆଲୁଅ ନାହିଁ । ଜିଲ୍ଲାର ଅତି ଉପାନ୍ନ ଓ ମାଓ ଇଲାକା ଭାବରେ ପରିଚିତ ଏହି ଅଞ୍ଚଳ। ଗତ ୧୦ ବର୍ଷ ତଳେ ଅଞ୍ଚଳବାସୀଙ୍କ ଅନେକ ଆନ୍ଦୋଳନ ପରେ ସମସ୍ତ ଗାଁରେ ଟ୍ରାନ୍ସଫର୍ମର ବସିଲା । କେବୁଲ ଟଣା ହେବା ସହ ଘରେ ଘରେ ମିଟର ମଧ୍ୟ ଲାଗିଲା । ବିଦ୍ୟୁତ ସେବା ପାଇବାର ଖୁସିରେ ଲୋକେ ଟିଭି ସାଙ୍ଗକୁ ନାନାଦି ବିଦ୍ୟୁତ ଉପକରଣ କିଣି ଆଣିଲେ । ହେଲେ ୮ ଦିନ ପରେ ଜଳିଲା ନାହିଁ ବିଜୁଳି । ସରକାର ପ୍ରତି ଘରକୁ ବିଜୁଳି ନାରା ଦେଉଥିବା ବେଳେ ଲୋକେ ଡିବିରି ଆଲୁଅରେ ଜୀବନ ଯାପନ କରିବା ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ଉପରେ ଉଠାଇଛି ଏକ ବିରାଟ ପ୍ରଶ୍ନବାଚୀ । ଆଜି ବି ସୂର୍ଯ୍ୟାସ୍ତ ହେଲେ ଏସବୁ ଗାଁରେ ଡିବିରି ଓ ଲଣ୍ଡନକୁ ଲୋକେ ଭରସା କରନ୍ତି। ପିଲାଏ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଥିବା ବେଳେ ବର୍ତ୍ତମାନ ଗ୍ରୀଷ୍ମଛୁଟି ଯୋଗୁଁ ଗାଁକୁ ଆସିଛନ୍ତି। ଦିନ ବେଳେ ଯାହା ପଢିଲେ, ରାତି ହେଲେ ସେମାନଙ୍କ ପାଠପଢା ବନ୍ଦ ହୋଇଯାଏ ନଚେତ ଡିବିରି ଆଲୁଅରେ ପଢନ୍ତି। ଏହି ଗାଁ ଗୁଡ଼ିକରେ ବିଦ୍ୟୁତ ତାର ଟଣାଯିବାର ଦୀର୍ଘ ବର୍ଷ ବିତିଥିଲେ ସୁଦ୍ଧା ଆଜି ବି ପଞ୍ଚାୟତବାସୀ ବିଜୁଳି ସେବାରୁ ବଞ୍ଚିତ ହୋଇଥିବାରୁ ବିଦ୍ୟୁତ ସଂଯୋଗ ପାଇଁ ଆଶା ଦେଖାଇ ନିରାଶା କଲା ବିଦ୍ୟୁତ ବିଭାଗ। ହାତୀ କରିଡ଼ର ଅଞ୍ଚଳରେ ହାତୀଙ୍କ ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେଇ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଛନ୍ତି। ହେଲେ ତାହାର ବିକଳ୍ପ ବ୍ୟବସ୍ଥା ଭାବରେ ସୋଲାର୍ ବିଦ୍ୟୁତକରଣ କରାଯିବାକୁ ନିର୍ଦ୍ଦେଶ ରହିଛି। କର୍ଲାପାଟ୍ ଅଭୟରାଣ୍ୟ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଓ ବିଦ୍ୟୁତ ପରିଚାଳନା ଦାୟିତ୍ଵରେ ଥିବା ଟାଟା ପାୱାର ଆଜି ଯାଏଁ ଯୁଗସାଇପାଟଣାର ୩୫ଖଣ୍ଡ ଗାଁରେ ସୋଲାର୍ ପାୱାର ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦିଗରେ ଚିନ୍ତା କରୁ ନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଦିଗରେ ଜିଲ୍ଲାପ୍ରଶାସନ ପଦକ୍ଷେପ ନେବାକୁ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ