ଗଣମାଧ୍ୟମ ବାର୍ତ୍ତାଲାପ:ତଦନ୍ତ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ


ଭୁବନେଶ୍ୱର: ତଦନ୍ତ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଇଛି।
ଦେଶରେ ନୂଆ ଅପରାଧିକ ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା ବୃଦ୍ଧି ପାଇଛି । ମାନବାଧିକାର ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଗୁରୁଦାୟିତ୍ୱ ରହିଥିବା କାରଣରୁ ସାମ୍ବାଦିକମାନେ ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ କରିବା ଉଚିତ୍ ବୋଲି କହିଛନ୍ତି ରାଜ୍ୟ ଅଗ୍ନିଶମ ମହାନିର୍ଦ୍ଦେଶକ, କମାଣ୍ଡାଣ୍ଟ ଜେନେରାଲ (ଗୃହରକ୍ଷୀ), ନିର୍ଦ୍ଦେଶକ (ବେସାମରିକ ପ୍ରତିରକ୍ଷା) ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ‘‘ତିନୋଟି ନୂଆ ଅପରାଧିକ ଆଇନ’’ ଉପରେ ଆୟୋଜିତ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡକ୍ଟର ଷଡ଼ଙ୍ଗୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ ଅପରାଧିକ ଆଇନକୁ ସ୍ୱାଗତ କରିଥିଲେ ।
ସେ କହିଥିଲେ, ଆସନ୍ତା ଜୁଲାଇ ପହିଲାରୁ ଦେଶରେ ତିନୋଟି ନୂଆ ଅପରାଧିକ ଆଇନ ଲାଗୁ ହେବାକୁ ଯାଉଛି । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ହେଉଛି ସ୍ୱାଧୀନ ଭାରତର ନିଜସ୍ୱ ନ୍ୟାୟିକ ଆଇନ । ଏଥିରେ ଦୁଇଟି ଭଲ ଦିଗ ରହିଛି ପ୍ରଥମଟି ହେଉଛି ତଦନ୍ତ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଯାହାର ସୁଫଳ ନିଶ୍ଚିତ ଭାବେ ନାଗରିକମାନଙ୍କୁ ମିଳିପାରିବ । ଦ୍ୱିତୀୟ ଦିଗଟି ହେଉଛି ବିଭିନ୍ନ ମାମଲାର ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିବା । ପୂର୍ବରୁ ଥିବା ବ୍ୟବସ୍ଥାରେ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିଲା । ତାରିଖ ଉପରେ ତାରିଖ ଗଡ଼ି ଚାଲିଥିଲା। ନୂଆ ଆଇନରେ ମାମଲାର ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇଛି।ଯଦ୍ୱାରା ନ୍ୟାୟ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ବରିଷ୍ଠ ପୁଲିସ ଅଧିକାରୀ ଡକ୍ଟର ଷଡ଼ଙ୍ଗୀ ଆହୁରି କହିଥିଲେ, ନୂଆ ଆଇନକୁ ଭଲ ଭାବେ କାର୍ଯ୍ୟକାରି କରିବାକୁ ହେଲେ ଅଧିକ ମାନବ ସମ୍ବଳ ଆବଶ୍ୟକ ହେବ। ପୁଲିସ କର୍ମଚାରୀ ଓ ଆଇନଜୀବୀମାନଙ୍କୁ ନୂଆ ଆଇନ ବିଷୟରେ ପ୍ରଶିକ୍ଷଣ ଦେବାକୁ ହେବ । କିଛି ମାସ ମଧ୍ୟରେ ନୂଆ ଆଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରି ହୋଇପାରିବ ବୋଲି ଡକ୍ଟର ଷଡ଼ଙ୍ଗୀ ଆଶା ବ୍ୟକ୍ତ କରିଥିଲେ । ସେହିପରି ମାମଲାର ତଦନ୍ତ ପ୍ରକ୍ରିୟାକୁ ରେକର୍ଡିଂ କରିବାର ବ୍ୟବସ୍ଥା ଫଳରେ ତଦନ୍ତ ପ୍ରକ୍ରିୟା ଅଧିକ ପ୍ରଭାବୀ ହେବ। ପ୍ରକୃତ ଦୋଷୀ ଦଣ୍ଡିତ ହେବେ ଏବଂ ନିର୍ଦ୍ଦୋଷ ସୁରକ୍ଷା ପାଇପାରିବେ । ଅନୁରୂପ ଭାବେ ମହିଳା ଓ ଶିଶୁ ସୁରକ୍ଷା ଏବଂ ମାନବ ଚାଲାଣ ଭଳି ଅପରାଧ ପାଇଁ ଏହି ଆଇନରେ ପୀଡ଼ିତଙ୍କୁ ସୁରକ୍ଷା ଦେବା ସହିତ ଦୋଷୀକୁ ଦଣ୍ଡବିଧାନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଥିବା ବିଷୟରେ ସେ ସୂଚନା ଦେଇଥିଲେ । ସାତ ବର୍ଷରୁ କମ୍ ଦଣ୍ଡବିଧାନ ବ୍ୟବସ୍ଥା ରହିଥିବା ଛୋଟ ଛୋଟ ଅପରାଧ ସ୍ୱୀକାର କରିବା କ୍ଷେତ୍ରରେ ଦୋଷୀଙ୍କ ଜେଲ ଦଣ୍ଡାଦେଶ ହ୍ରାସ କରିବା ଲାଗି ନୂଆ ଆଇନରେ ରହିଥିବା ବ୍ୟବସ୍ଥାକୁ ଡକ୍ଟର ଷଡ଼ଙ୍ଗୀ ସ୍ୱାଗତ କରିଥିଲେ । ଏହାଦ୍ୱାରା ପ୍ରଥମ ଥର ଅପରାଧ କରିଥିବା ଦୋଷୀ ଉପକୃତ ହେବେ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁବିଧାଜନକ ହେବ ବୋଲି ସେ କହିଥିଲେ।ଡକ୍ଟର ଷଡ଼ଙ୍ଗୀ ଆହୁରି କହିଥିଲେ, ଜେଲ୍ ରେ ଥିବା ବହୁ ଗରିବ ଲୋକ ପାଖରେ ଟଙ୍କା ନଥିବା କାରଣରୁ ଓକିଲଙ୍କୁ ନିୟୋଜିତ କରି ଜାମିନ୍ ପାଇ ପାରୁନଥିଲେ। ନୂଆ ଆଇନରେ ଏଭଳି ଗରିବ ଲୋକଙ୍କୁ ଓକିଲଙ୍କ ସହାୟତା ବିନା ଜାମିନ ଦେବାର ବ୍ୟବସ୍ଥା କରାଯାଇଛି । ଏଭଳି ଲୋକଙ୍କ ଜାମିନ ପାଇଁ ଜେଲ୍ ଅଧୀକ୍ଷକ ଅଦାଲତଙ୍କୁ ସୂଚୀତ କରିବାର ବ୍ୟବସ୍ଥା ନୂଆ ଆଇନରେ କରାଯାଇଥିବା ଡକ୍ଟର ଷଡ଼ଙ୍ଗୀ କହିଥିଲେ । ବିଚାରଧୀନ କଏଦୀଙ୍କ ସଂଖ୍ୟା ହ୍ରାସ ପାଇଁ ଏହା ଏକ ଭଲ ବ୍ୟବସ୍ଥା ବୋଲି ସେ ସୂଚାଇ ଦେଇଥିଲେ । ଡକ୍ଟର ଷଡ଼ଙ୍ଗୀ କହିଥିଲେ, ମହିଳାଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା, ଶିଶୁ ଓ ମହିଳା ଚାଲାଣ, ଆତଙ୍କବାଦ, ଭିଡ଼ ହିଂସା, ଏସିଡ୍ ଆକ୍ରମଣ ସମେତ ସାଇବର ଅପରାଧ, ବାଲି ମାଫିଆ, ପଥର ମାଫିଆ ଭଳି ସଂଗଠିତ ଅପରାଧ ଓ ଛିନତାଇ ବିରୋଧରେ ଆଇନକୁ କଠୋର କରାଯାଇଛି । ଜିରୋ ଏଫଆଇଆର ବ୍ୟବସ୍ଥା ଦ୍ୱାରା ଯେକୌଣସି ଥାନାରେ ମାମଲା ରୁଜୁ କରାଯାଇପାରିବ, ଯାହାକି ପୀଡ଼ିତମାନଙ୍କୁ ବେଶ ସୁବିଧା ପ୍ରଦାନ କରିବ ବୋଲି ସେ କହିଥିଲେ । ସେ ଆହୁରି ସୂଚନା ଦେଇଥିଲେ ଯେ ପୂର୍ବରୁ ସିଆରପିସିରେ ୪୮୪ଟି ଧାରା ରହିଥିଲା ବେଳେ ବର୍ତ୍ତମାନ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୧ଟି ଧାରା ରହିଛି । ଆଇପିସିରେ ୫୧୧ଟି ଧାରା ଥିବା ବେଳେ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଧାରାକୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପୁରୁଣା ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟରେ ୧୭୦ ଟି ଧାରା ଥିବା ବେଳେ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ୧୬୭ ଧାରା ରହିଛି। ଡକ୍ଟର ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଉପସ୍ଥିତ ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କୁ ନୂଆ ଆଇନ ବିଷୟରେ ଅଧିକ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ ।ଫଳରେ ସମାଜରେ ଏକ ସଠିକ ବାର୍ତ୍ତା ପହଞ୍ଚିଲେ ନାଗରୀକ ନ୍ୟାୟ ବ୍ୟବସ୍ଥା ସହଜ ହୋଇପାରିବ।