ଜମନକିରାରେ କଂଗ୍ରେସ ର ‘ଓଡ଼ିଶା ବନ୍ଦ’ ସମ୍ପୂର୍ଣ୍ଣ ସଫଳ: ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ, ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଠପ୍
ଜମନକିରା : ସାମ୍ବିଧାନିକ ଗଣତନ୍ତ୍ରର ସୁରକ୍ଷା ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ଜମନକିରା ବ୍ଲକ କଂଗ୍ରେସ ପକ୍ଷରୁ ଆହୂତ ଆଜି ୮ ଅକ୍ଟୋବର ‘ଓଡ଼ିଶା ବନ୍ଦ’ ଡାକରାକୁ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଅଭୂତପୂର୍ବ ସମର୍ଥନ ମିଳିଛି। ବ୍ଲକ କଂଗ୍ରେସ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଳୀୟ ନେତୃବୃନ୍ଦ ଓ ଶତାଧିକ କର୍ମୀ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ପିକେଟିଂ କରିବା ସହ ଜମନକିରା ସ୍ଥିତ ବାଇପାସ୍ ୫୩ ନମ୍ବର ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ଆଜି ପ୍ରାତଃ ୭ ଘଟିକାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବଳବତ୍ତର ରହିଥିବା ଜଣାଯାଇଛି।
ଏହି ବନ୍ଦ ପ୍ରଭାବରେ ଜମନକିରା ବ୍ଲକ ପ୍ରଶାସନିକ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟଳୟ, ଶିକ୍ଷା ବିଭାଗ, କୃଷି ବିଭାଗ, ତହସିଲ ଅଫିସ, ବିଭିନ୍ନ ବ୍ୟାଙ୍କ, ଡାକଘର, ସ୍କୁଲ-କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସ୍ଥାନୀୟ ବ୍ୟବସାୟୀ ସଂଘ ଓ ସାଧାରଣ ଜନତା ସ୍ୱତଃସ୍ଫୂର୍ତ୍ତ ସହଯୋଗ କରି ଦୋକାନ ବଜାର ବନ୍ଦ ରଖିଥିଲେ। ତେବେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଓ ପରୀକ୍ଷାର୍ଥୀଙ୍କୁ ଏହି ବନ୍ଦରୁ ସମ୍ପୂର୍ଣ୍ଣ ମୁକ୍ତ ରଖାଯାଇଥିଲା।
ଆନ୍ଦୋଳନକାରୀ ନେତୃବୃନ୍ଦ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଗର୍ଜନ କରି କହିଥିଲେ ଯେ, ରାଜ୍ୟର ଖଣି ସମ୍ପଦକୁ କର୍ପୋରେଟ୍ ହାତକୁ ଟେକିଦେବା ଉଦ୍ଦେଶ୍ୟରେ ଆସିଥିବା ଏମ୍ଏମ୍ଡିଆର୍ (MMDR) ସଂଶୋଧନ ଆଇନ-୨୦୨୩କୁ ତୁରନ୍ତ ରଦ୍ଦ କରାଯାଉ। ସେହିପରି ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉଲ୍ଲଂଘନ ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବହିଷ୍କାର, ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସୁଧାର ସହ ଖାଲି ପଡ଼ିଥିବା ପ୍ରାୟ ୬୦ ହଜାର ଶିକ୍ଷକ ପଦବୀ ତୁରନ୍ତ ପୂରଣ ଦାବିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ନିକଟ ଅତୀତରେ ପ୍ରଳୟଙ୍କରୀ ବନ୍ୟାରେ ସର୍ବସ୍ୱାନ୍ତ ହୋଇଥିବା ଚାଷୀ ଓ ଜନସାଧାରଣଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦୃଢ଼ ଦାବି କରାଯାଇଥିଲା।
ଆଜିର ଏହି ବିଶାଳ ଆନ୍ଦୋଳନ ଓ ପିକେଟିଂ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ପ୍ରାର୍ଥୀ କେଦାରନାଥ ବରିହା, ବ୍ଲକ କଂଗ୍ରେସ ସଭାପତି ମନୋଜ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ନାଏକ, ପିସିସି ସଭ୍ୟ ସରୋଜ ପଟ୍ଟନାୟକ, ଜିଲ୍ଲା ଉପସଭାପତି ଅଶୋକ କୁମାର ଦାନୀ ଓ ମନୋରଞ୍ଜନ ଦାଶ, ବ୍ଲକ ଉପସଭାପତି ସଂଗ୍ରାମ ନାଥ ଶର୍ମା, ବ୍ଲକ ସମ୍ପାଦକ ପଦ୍ମନ ବିଶି, ବ୍ଲକ କୋଷାଧ୍ୟକ୍ଷ ଆଶିଷ ଶର୍ମା, ସମ୍ପାଦକ ବିମଳ କାନ୍ତ ମହାନ୍ତି, ସୁଦକ୍ଷ ଭୂୟାଁ, ପଞ୍ଚାୟତ ସଭାପତି ବବଲୁ ପଟେଲ, ଦଳୀୟ ସଭ୍ୟ ଚନ୍ଦ୍ରକାନ୍ତ ପ୍ରଧାନ ଓ ପ୍ରମୋଦ ପ୍ରଧାନଙ୍କ ସମେତ ବ୍ଲକ ଅଞ୍ଚଳର ବହୁ ବରିଷ୍ଠ ନେତା, ଯୁବ କର୍ମୀ ତଥା ସମର୍ଥକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଏହାକୁ ସମ୍ପୂର୍ଣ୍ଣ ସଫଳ କରିଥିଲେ।
ଏହି ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସ୍ୱତଃସ୍ଫୂର୍ତ୍ତ ଭାବେ ସଫଳ ହୋଇଥିବାରୁ ଜମନକିରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମସ୍ତ ବ୍ୟବସାୟୀ, ଗାଡ଼ି ଚାଳକ, ପ୍ରଶାସନ ତଥା ସ୍ଥାନୀୟ ଜନସାଧାରଣଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଛି।

