ଗୋପାଳପୁର,୦୪/୧୨ ଏବେ ଧାନ ଫସଲ କାଟି ଅମଳ କରିବାର ସମୟ। ରାଜ୍ୟରେ ସବୁଜାଗାରେ କୃଷକମାନେ ନିଜ ବିଲରେ ଫସଲ ଅମଳରେ ବ୍ୟସ୍ତ। ପୂର୍ବରୁ ଚାଷୀମାନେ ଧାନ ଅମଳପରେ ନଡ଼ା ବା ପାଳକୁ ଗୋଖାଦ୍ୟ ରୂପେ ବ୍ୟବହାର କରୁଥିଲେ, ଘର ଛପର କାମରେ ମଧ୍ୟ ବ୍ୟବହାର କରୁଥିଲେ। ମାତ୍ର ବର୍ତମାନ ଧାନ ଅମଳ ଯନ୍ତ୍ର ବା ହାର୍ଭେଷ୍ଟର ବ୍ୟବହାର ଫଳରେ ଜମିରେ ରହି ଯାଉଥିବା ଅବଶେଷାନଷ ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ। ଫଳରେ ଏହି ନଡ଼ାକୁ ଅଦରକାରୀ ମନେ କରି ଚାଷୀ ଭାଇ ଓ ଭଉଣୀମାନେ ମେସିନରେ ଧାନ କାଟିବା ପରେ, ବିଲରେ ଥିବା ନଡ଼ା ତଥା ପାଳର ଅଂଶକୁ ବିଲରେ ହିଁ ପୋଡ଼ି ଦେଉଛନ୍ତି
ଆମର ଏହି ଅଭ୍ୟାସ ମାଟିର ଉର୍ବରତାକୁ କମାଇବା ସହିତ ବାୟୁ ମଣ୍ଡଳକୁ ଅତ୍ୟଧିକ ପ୍ରଦୁଷିତ କରୁଛି । ମାଟିରେ କୋଟି କୋଟି ସୁକ୍ଷ୍ମ ଜୀବ ରହି ଥାଆନ୍ତି। ମାତ୍ର ଏକ ଗ୍ରାମ ଉର୍ବର ମାଟିରେ ପ୍ରାୟ ୩ କୋଟି ଅଣୁଜୀବ ରହି ଥାଆନ୍ତି। ଯାହାକି ୨୦୦୧ର ଓଡ଼ିଶା ଜନସଂଖ୍ୟା ସହିତ ପ୍ରାୟ ସମାନ। ମାଟିରେ ପାଳ ପୋଡ଼ିବା ଦ୍ୱାରା ମାଟିରେ ଥିବା ଏହି କୋଟି କୋଟି ସୁକ୍ଷ୍ମ ଜୀବ ମରିଯାଇଥାନ୍ତି ଓ ଆମର ମାଟି ଅନୁର୍ବର ହୋଇଯାଏ । ମାଟିରେ ପଡ଼ୁଥିବା ରାସାୟନିକ ସାର ତଥା କୀଟନାଶକ ଏବଂ ଜମି ପୋଡ଼ା ହେଉଥିବା ଅଭ୍ୟାସ ମାଟିକୁ ସମ୍ପୂର୍ଣ୍ଣ ଅନୂର୍ବର କରିବା ସହିତ ମାଟିକୁ ଟାଣ କରିଥାଏ । ଏହା ଫଳରେ ମାଟି ଉତ୍ତମ ଫସଲ ଦେବାପାଇଁ ଅନୁପଯୋଗୀ ହୋଇଯାଏ। ଏହା ଛଡା ଏଥିରୁ ନିର୍ଗତ ଧୂଆଁ ଗାଁ ତଥା ସହରକୁ ପ୍ରଦୁଷିତ କରିବା ସହିତ ଅନେକ ଦୁରାରୋଗ୍ୟ ଯଥା କ୍ୟାନ୍ସର, ଯକ୍ଷ୍ମା ତଥା ଅନେକ ଶ୍ୱାସ ପ୍ରସ୍ୱାସ ରୋଗ ସୃଷ୍ଟି କରିଥାଏ। ତେଣୁ ବିଲରେ ଶସ୍ୟ ଅମଳ ପରେ ନଡ଼ାକୁ ପୋଡିବା ପରିବର୍ତ୍ତେ ମାଟିରେ ଛାଡ଼ିଦବାକୁ ଏନ୍.ସି.ଏନ୍.ଏଫ, ଓଡ଼ିଶା ତରଫରୁ ନିବେଦନ କରାଯାଉଛି। ଏହି ପାଳ ମାଟିକୁ ଉର୍ବର କରିବା ସହିତ ଉତ୍ପାଦନ ବଢ଼େଇବାରେ ସହାୟକ ହେବ ବୋଲି ପ୍ରାକୃତିକ ଚାଷ ବିଶେଷଜ୍ଞ ତଥା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଡଃ. ସାବରମତୀ, ପ୍ରାକୃତିକ ଚାଷ ବିଶେଷଜ୍ଞ ଏକାଦଶୀ ନନ୍ଦୀ, ଡଃ. ନନ୍ଦ କିଶୋର ମହାକୁଡ, ଦୋଳଗୋବିନ୍ଦ ପଣ୍ଡା, ଅରୁଣିମା ସ୍ୱାଇଁ, ସେଲଭିନ ଭିମା ରାଓ, ଗୋବିନ୍ଦ ଦଳାଇ, ସୁରେଶ ବିଷୋୟୀ, ରମେଶ ସ୍ୱାଇଁ, ପ୍ରଭାକର ଅଧିକାରୀ, ମାନସ ରଞ୍ଜନ ସାହୁ, ଡଃ. ମହମ୍ମଦ ଇମ୍ରାନ ଅଲୀ ତଥା ଅନ୍ୟ ମନେ ନିବେଦନ କରିଛନ୍ତି।
ଏହି ନଡ଼ାକୁ ଚାଷ ଜମିରେ ପରବର୍ତ୍ତୀ ଫସଲରେ ମାଟିକୁ ଆଚ୍ଛାଦନ କରିବା କିମ୍ବା ଘୋଡେ଼ଇବା ପାଇଁ ଚାଷୀ ଭାଇ ଭଉଣୀମାନେ ବ୍ୟବହାର କରି ପାରିବେ । ଏହାଦ୍ବାରା ମାଟିରେ ଥିବା ଲକ୍ଷାଧିକ ଉପକାରୀ ସୂକ୍ଷ୍ମ ଜୀବ ଆଉ ଆମର ବନ୍ଧୁ ଜିଆ ଭଲ କାମ କରିବେ ଏବଂ ପରେ ପରେ ଏହି ନଡ଼ା ପଚି ସଢି ଯାଇ ମାଟିରେ ଖତ ହୋଇ ମିଶିଯିବ ଓ ମାଟିର ଉର୍ବରତା ବଢ଼ାଇବ। ବର୍ତମାନ ସ୍ଥିତିରେ ଆମେ ଦିଲ୍ଲୀର ଅବସ୍ଥା ଠାରୁ ଉଚିତ୍ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ସଂଗଠନ ତରଫରୁ କୁହାଯାଇଛି।