ପାକିସ୍ତାନ ସହ ଚାଲିଥିବା ଉତ୍ତେଜନା ଓ ଯୁଦ୍ଧ ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ସେନା ମୁଖ୍ୟଙ୍କୁ ଭେଟିଛନ୍ତି। ଏଥିରେ ସ୍ଥଳସେନା, ନୌସେନା, ବାୟୁସେନର ପୂର୍ବତନ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପୂ୍ର୍ବତନ ସେନା ପ୍ରମୁଖଙ୍କ ସହ ପାକିସ୍ତାନ ସହ ଜାରି ସଂଘର୍ଷ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।
ପୂର୍ବତନ ସେନା ପ୍ରମୁଖଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକକୁ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ଏହି ସମସ୍ତ ସୈନ୍ୟ ପ୍ରମୁଖଙ୍କ ପାକିସ୍ତାନ ସହ ଅତୀତରେ ଘଟିଥିବା ସଂଘର୍ଷର ବେଶ ଅନୁଭବ ଓ ଅଭିଜ୍ଞତା ରହିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନଏସଏ ଅଜିତ ଡୋଭାଲ, ସିଡିଏସ ଓ ସମସ୍ତ ସଶସ୍ତ୍ର ବଳର ପ୍ରମୁଖଙ୍କ ସହ ବୈଠକ କରିଛନ୍ତି। ଏହା ପରେ ପୁଣି ଥରେ ଏନଏସଏ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ପୂର୍ବତନ ସେନା ପ୍ରମୁଖଙ୍କୁ ପ୍ରଧାନମନ୍ତ୍ରୀ ଭେଟିବାର କାରଣ ଏହି ସବୁ ସେନା ପ୍ରମୁଖ ପାକିସ୍ତାନ ପୋଷିତ ଶିଖ ଆତଙ୍କବାଦୀଙ୍କଠୁ ନେଇ ୧୯୮୯ରେ କାଶ୍ମୀରରେ ଘଟିଥିବା ଇସଲାମିକ ଆତଙ୍କବାଦର ସାମ୍ନା କରି ସାରିଛନ୍ତି। ଏଥିସହ ୧୯୯୯ କାରଗିଲ ଯୁଦ୍ଧ, ୨୦୦୧ ସଂସଦ ଉପରେ ଆତଙ୍କୀ ହମଲା, ୨୦୦୮ ମୁମ୍ବାଇ ହମଲା, ୨୦୧୬ର ଉରୀ ଆତଙ୍କୀ ହମଲା ଓ ୨୦୧୯ ପୁଲଓ୍ଵାମା ଆତଙ୍କୀ ହମଲା ସମୟରେ ସେନାର ନେତୃତ୍ଵ ନେଇ ସାରିଛନ୍ତି।
ଭାରତ ଗତ ୪୫ ବର୍ଷରେ କେବଳ ଉରି ଓ ପୁଲଓ୍ଵାମା ଆତଙ୍କୀ ହମଲାର ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ ଜରିଆରେ ଜବାବ ଦେଇଛି। କୁହାଯାଉଛି ଏହି ବୈଠକରେ ପୂର୍ବତନ ସୈନ୍ୟ ପ୍ରମୁଖ ନିଜର ଅନୁଭବ ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିବା ସହ ସ୍ଥିତିର କେମିତି ମୁକାବିଲା କରାଯାଇ ପାରିବ ତା ଉପରେ ପରାମର୍ଶ ଦେଇଛନ୍ତି। ପୂର୍ବତନ ସେନାପ୍ରମୁଖମାନେ ଆତଙ୍କବାଦ ବିରୋଧରେ ସରକାରଙ୍କ ଶୂନ୍ୟ ସହନଶୀଳ ନୀତିର ପ୍ରଶଂସା କରିଛନ୍ତି।
କେବଳ ଏତିକି ନୁହେଁ, ପ୍ରଥମ ଥର ପାଇଁ ପାକିସ୍ତାନ ଭିତରେ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈବା ଏବଂ ପିଓକେରେ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟାଳୟ ଉପରେ ଆକ୍ରମଣକୁ ଏକ ସଠିକ୍ ପଦକ୍ଷେପ ବୋଲି କହିଛନ୍ତି ପୂର୍ରତନ ସେନାପ୍ରମୁଖଗଣ। ସିନ୍ଧୁ ଜଳ ଚୁକ୍ତିନାମାରୁ ଓହରିଯିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ନିପାତ ପାଇଁ ଅଧିକ କଠୋର ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପୂର୍ବତନ ସେନାପ୍ରମୁଖ।