ଗଞ୍ଜାମରେ କେଉଡ଼ା ଫୁଲ୍ ଚାଷୀଙ୍କର ଦୁଃଖଆଇନଜୀବୀ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଲେ।
ଗୋପାଳପୁର,୨୪/୧୦
ଗଞ୍ଜାମ ଜିଲ୍ଲାରେ କେଉଡ଼ା ଫୁଲ୍ ଚାଷୀଙ୍କର ଜୀବନଯାପନ ସଙ୍କଟ ବଢ଼ିବା ସହ ସରକାରୀ ଅବହେଳାରୁ ସେମାନଙ୍କ ଦୁଃସ୍ଥତା ଅଧିକ ଗଭୀର ହେଉଛି। ଏଭଳି ସ୍ଥିତିରେ ଓଡ଼ିଶା ହାଇକୋର୍ଟ ଓକିଲ ଓ ସାମାଜିକ-ମାନବାଧିକାର କାର୍ଯ୍ୟକର୍ତ୍ତା ଡ଼କ୍ତର ଶମ୍ଭୁ ପାଣିଗ୍ରାହୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏକ ଆବେଦନପତ୍ର ଲେଖି ତାଙ୍କର ସହାୟତା ଲୋଢ଼ିଛନ୍ତି। ଗଞ୍ଜାମରେ ପ୍ରାୟ ୧୦,୦୦୦ କେଉଡ଼ା ଚାଷୀ ପ୍ରତିଦିନ ନିଜର ଜୀବନ ଜୀବିକା ପାଇଁ ଲଢ଼ୁଛନ୍ତି ଏବଂ ବଜାର ସଙ୍କଟରୁ ସେମାନଙ୍କ ଦୁଃସ୍ଥତା ବଢ଼ିବାରେ ଲାଗିଛି।
ଓଡ଼ିଶାର ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳରେ, ବିଶେଷକରି ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରାଙ୍ଗେଇଲୁଣ୍ଡା, ଚିକିଟି ଏବଂ ଗଞ୍ଜାମ ବ୍ଲକରେ ୧୦୦ରୁ ଅଧିକ ଗ୍ରାମ କେଉଡ଼ା ଫୁଲ୍ ସଂଗ୍ରହ ଓ ବିକ୍ରି ଉପରେ ନିର୍ଭରଶୀଳ। ଏହି ଅଞ୍ଚଳରେ ୨୨୦ଟି ଛୋଟ କେଉଡ଼ା ପ୍ରକ୍ରିୟାକରଣ ୟୁନିଟ୍ ଅନିୟମିତ ଭାବେ ଚାଲୁଛି। ଆଗରହରମ୍, କେଲୁଆପଲ୍ଲୀଓ ସିଧବାଇରବିରେ ତିନୋଟି ପ୍ରଧାନ ମଣ୍ଡି ରହିଛି। ଚାଷୀମାନେ ସେଠାରେ ଫୁଲ୍ ଜମା କରନ୍ତି, କିନ୍ତୁ ମୂଲ୍ୟ ଅତ୍ୟନ୍ତ କମ ମିଳୁଥିବାରୁ ତାହା ଲାଭଦାୟକ ନୁହେଁ। ୨୦୨୪-୨୫ ମୌସୁମୀରେ ପ୍ରତ୍ୟେକ ଫୁଲର ମୂଲ୍ୟ ୩୩ ଟଙ୍କା ନିର୍ଦ୍ଧାରଣ ହୋଇଥିଲା। ଅନ୍ୟପଟେ ବର୍ଷରେ ତିନୋଟି ଉତ୍ପାଦନ ଚକ୍ର ରହିଛି। କିନ୍ତୁ ସେପ୍ଟେମ୍ବର ମାସରେ ଉତ୍ପାଦନ ୭୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଉତ୍ତର ପ୍ରଦେଶର ବ୍ୟବସାୟୀମାନେ (ଯେଉଁମାନେ ସାଧାରଣତଃ କିଣୁଥାନ୍ତି) ନିର୍ଦ୍ଧାରିତ ମୂଲ୍ୟରେ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହାଫଳରେ ଅନେକ ପ୍ରକ୍ରିୟାକରଣ ଇଉନିଟ୍ ବନ୍ଦ୍ ହୋଇଯାଇଛି, ଯାହା ସେମାନଙ୍କ ଆର୍ଥିକ ସଙ୍କଟକୁ ଆହୁରି ଗଭୀର କରିଛି।
ରାଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି, ମେଣ୍ଡରାଜପୁର, ପେଣ୍ଠାପଲ୍ଲୀ, ତୁଳୁ, ଇନ୍ଦ୍ରାକ୍ଷୀ କୀର୍ତ୍ତିପୁର, ଶୋଳବିନ୍ଧା, ଗୁଣୁପୁର, କେଲୁଆପଳ୍ଳି, ବିଶ୍ୱନାଥପୁର, ମହାସାହିପେଣ୍ଠ, ଲକ୍ଷ୍ମୀପୁରଓ ଶାଶନପଦର ଭଳି ଗ୍ରାମରେ ରହୁଥିବା ଚାଷୀମାନେ ଅତ୍ୟନ୍ତ ଦୁଃଖ ଭୋଗୁଛନ୍ତି। କନ୍ନୌଜ, କାନ୍ପୁର, ଆଲିଗଢ଼ ରେ ପ୍ରକ୍ରିୟାକରଣ ୟୁନିଟ ଗୁଡିକ ବନ୍ଦ୍ ହେବା ସହ ଓଡ଼ିଶାର ଚାଷୀମାନଙ୍କର ଉକ୍ତ କେଉଡା କ୍ରୟ କରିବା ପାଇଁ କୌଣସି କ୍ରେତା ଆସୁନାହାନ୍ତି। ଅନ୍ୟପଟେ ବ୍ୟାଙ୍କ ଓ ଘରୋଇ ଋଣଦାତାଙ୍କଠାରୁ ଋଣ ନେଇଥିବା ଅନେକ ଚାଷୀ ଏବର୍ଷ ଫୁଲ୍ ବିକ୍ରିରୁ ଲାଭ ନପାଇ ଋଣ ପରିଶୋଧ କରିପାରୁନାହାନ୍ତି। କେଉଡ଼ା ଫୁଲ ଗୁଡିକ ରଖିବା ପାଇଁ କୌଣସି ସୁବିଧା ନଥିବାରୁ ସେଗୁଡିକ ନଷ୍ଟ ହେଉଛି।ସରକାରୀ ପ୍ରୋତ୍ସାହନ ଓ ଶିଳ୍ପ ମାନବସମ୍ବଳ ଅଭାବ ଏହି ସଙ୍କଟର ମୂଳ କାରଣ ବୋଲି ସେ କହିଛନ୍ତି। କେଉଡ଼ା ଫୁଲ୍ ଚାଷୀମାନଙ୍କର ରୋଜଗାର ବଞ୍ଚାଇବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଆପଣଙ୍କ କାର୍ଯ୍ୟାଳୟରୁ ତୁରନ୍ତ ପଦକ୍ଷେପ ନିଅନ୍ତୁ।” ସେ ଆହୁରି ପ୍ରସ୍ତାବ ଦେଇଛନ୍ତି:
୧. କେଉଡ଼ା ଫୁଲ୍ ୟୁନିଟ ଗୁଡ଼ିକୁ ସରକାର ଛୋଟ ଓ ମଧ୍ୟମ ଶିଳ୍ପ ଭାବେ ଘୋଷଣା କରାଯାଇବା।
୨. ଗଞ୍ଜାମ ଜିଲ୍ଲା କଲେକ୍ଟରଙ୍କୁ ବନ୍ଦ୍ ହୋଇଥିବା ପ୍ରକ୍ରିୟାକରଣ ଇଉନିଟ୍ଗୁଡ଼ିକୁ ପୁନର୍ଜୀବିତ କରିବାକୁ ନିର୍ଦ୍ଦେଶ ଦେବା।
୩. ଫୁଲ୍ ଚାଷୀଙ୍କ ସ୍ଥାୟୀ ରୋଜଗାର ସୁନିଶ୍ଚିତ କରିବା ପାଇଁ କୋଲ୍ଡ୍ ଷ୍ଟୋରେଜ୍ ସୁବିଧା ସ୍ଥାପନ ଓ କେଉଡ଼ା ଫୁଲ୍ ଶିଳ୍ପ କ୍ଲଷ୍ଟର୍ ଗଢ଼ିବା।
ରାଙ୍ଗେଇଲୁଣ୍ଡା ବ୍ଲକରେ ସ୍ୱାଧୀନତା ପରେ କୈଣସି ପ୍ରମୁଖ ଶିଳ୍ପ ଚାଲୁ ନଥିବା ବେଳେ, ଏହି ପାରମ୍ପରିକ ବ୍ୟବସାୟକୁ ବଞ୍ଚାଇ ନପାରିଲେ ଗରିବ ଚାଷୀ ଚରମ ଦୁଃସ୍ଥତା ଓ ଭୋକ-ମରଣର ଶିକାର ହେବେ ବୋଲି ସେ କହିଛନ୍ତି।
ଏହି ସଙ୍କଟ ଓଡ଼ିଶାର ଗ୍ରାମ୍ୟ ଅର୍ଥନୀତିର ଏକ ଅଂଶକୁ ପ୍ରଭାବିତ କରୁଛି। ସରକାର ଯଦି ତୁରନ୍ତ ହସ୍ତକ୍ଷେପ ନକଲେ, ଏହା ଅଧିକ ଗରିବୀ ଓ ପ୍ରବାସୀତାର କାରଣ ହେବ ବୋଲି ବିଶ୍ଲେଷକମାନେ ମତ ଦେଉଛନ୍ତି। ଚାଷୀମାନଙ୍କର ସମର୍ଥନରେ ସାମାଜିକ ସଂଗଠନମାନେ ମଧ୍ୟ ସରକାରଙ୍କୁ ଏଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

