Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାତ୍ବକି ପଦ୍ଧତିରେ ତନ୍ତ୍ରପୀଠ ସିଦ୍ଧ ଭୈରବୀ ରେ ନବରାତ୍ରୀ ପୂଜା ।

ଗୋପାଳପୁର,୧୩/୧୦ ବ୍ରହ୍ମପୁର ସହର ଉପକଣ୍ଠ ତଥା ଜାତୀୟ ରାଜପଥ ନଂ ୧୬ ଗୋଳନ୍ଥରା ଚଟି ଛକ ରୁ ଅନତି ଦୂରରେ ପୂଜା ପାଉଥିବା ହରଡଙ୍ଗ ମୌଜା ରେ ଆବାହନ କାଳରୁ ବିରାଜମାନ ହୋଇ ପୂଜା ପାଉଥିବା ମାଁ ସିଦ୍ଧ ଭୈରବୀ ପୀଠରେ ରେ ଦଶହରା ଅବସରରେ ୯ ଦିନ ଧରି ସ୍ବତନ୍ତ୍ର ପୂଜା ସହ ମାଁ ଆଖପାଖ ଅଞ୍ଚଳ କୁ ଯାଉ ସେଠାରେ ପୂଜା ପାଇ ପୁଣି ନବମୀ ରାତିରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି।
ଦେବୀଙ୍କ ଉତ୍ପତ୍ତି ନେଇ ପୌରାଣିକ କଥା ରହିଛି। ପୂର୍ବେ ‘ହରଗୌରୀ’ ଗାଁରେ ଗ୍ରାମଦେବୀ ରୂପେ ପୂଜା ପାଉଥିଲେ । ଭୌରବୀଙ୍କ ସହିତ ହରଗୌରୀ ମଧ୍ୟ ସମ୍ପ୍ରତି ଏ ପୀଠରେ ପୂଜାପାଇ ଆସୁଥିଲେ । ଭୌରବୀଙ୍କ ଉତ୍ପତ୍ତି ସମ୍ପର୍କରେ ଏ ଅଚଂଳରେ ଏକ ଚମକପ୍ରଦ କିମ୍ବଦନ୍ତୀ ପ୍ରଚଳିତ ଅଛି । କିମ୍ବଦନ୍ତୀ ଅନୁସାରେ ଦେବୀ ଭୂସଂଜାତା । ଦିନେ ଜଣେ କୃଷକ ଚାଷ କରୁଥିବା ଅବସ୍ଥାରେ ତା ଲଙ୍ଗଳମୂନ ରକ୍ତାକ୍ତ ହୋଇଥିବା ଦେଖି ଭୟଭୀତ ହୋଇଯାଇଥିଲା ଏବଂ ଚତକ୍ଷଣାତ୍‌ ଚାଷକାମ ବନ୍ଦ କରିଦେଇଥିଲେ । ସେଦିନ ରାତିରେ ସେ ଏକ ଶୂନ୍ୟ ବାଣି ନିର୍ଦେଶରେ ଜାଣିବାକୁ ପାଇଥିଲା ଯେ, ସେହି ଚାଷ କ୍ଷେତରେ ଦେବୀ ସିଦ୍ଧ ଭୈରବୀ ଅବସ୍ଥାନ କରନ୍ତି । ସେ ସେଠାରେ ଚିରଦିନ ପୂଜା ପାଇବା ପାଇଁ ଇଚ୍ଛା କରିଛନ୍ତି । ଆଉ ତାଙ୍କ ମୂର୍ତ୍ତି ପୁନରୁଦ୍ଧାର କରାଯାଇ ସେଠାରେ ଦେବୀଙ୍କ ପାଇଁ ମନ୍ଦିର ନିର୍ମାଣ କରାଯାଉ । ଏ ନିର୍ଦେଶନା ପାଇ ପରଦିନ କୃଷକ ତା’ ପୂର୍ବ ଚାଷ କ୍ଷେତକୁ ଗଲା । ମାଟି ଖୋଳି ଦେବୀଙ୍କୁ ଉଦ୍ଧାର କଲା ଏବଂ ଦେବୀଙ୍କ ପୀଠ ମଧ୍ୟ ନିର୍ମାଣ କରିଥିଲେ ।
ବର୍ତ୍ତମାନ ଦେବୀମୂର୍ତ୍ତିଙ୍କ ଡାହାଣ ପାଖରେ ଯେଉଁ ଖଣ୍ଡିତ ଅଂଶ ଦେଖାଯାଏ, ତାହା ଲଙ୍ଗଳ ମୂନାଘାତ ବୋଲି ଏଠାକାର ଜନସାଧାରଣଙ୍କ ବିଶ୍ୱାସ ରହିଛି । ଦେବୀଙ୍କ ମନ୍ଦିରଟି ହିନ୍ଦୁଶାସ୍ତ୍ରୀୟ ପଦ୍ଧତି ଅନୁସାରେ ନିର୍ମିତ । ଏହା ନିର୍ମାଣ ହେବାର ବହୁଦିନ ପରେ ୧୯୩୭ ମସିହାରେ ହରଡଙ୍ଗ, ବାୟାଳି ଓ ନିକଟସ୍ଥ ଅନେକ ଗ୍ରାମବାସୀଙ୍କ ଉଦ୍ୟମରେ ମନ୍ଦିରଟିକୁ ବୈଦିକ ରୀତିରେ ଚଳାଘରେ ପ୍ରତିଷ୍ଠା କରାଯାଇଥିଲା । ଦେବୀଙ୍କ ପୀଠଶାଳାକୁ ବାଦ୍‌ ଦେଲେ ମନ୍ଦିର ପରିସର ମଧ୍ୟରେ ନାମଯଜ୍ଞ ମନ୍ଦିର, ଆନନ୍ଦମଣ୍ଡପ, ପ୍ରସାଦ ସେବନ ମଣ୍ଡପ, ଲକ୍ଷ୍ମୀଭଣ୍ଡାର, ଗନ୍ତାଘର, ରୋଷେଇଶାଳା, ଭକ୍ତମାନଙ୍କ ପାଇଁ ବିଶ୍ରାମଘର ଇତ୍ୟାଦି ଦେଖିବାକୁ ମିଳେ । ଦେବୀଙ୍କର ମୂର୍ତ୍ତି ଆକାର ଦୃଷ୍ଟିରୁ ବିଶେଷ ବୃହତ୍‌ ନୁହେଁ । ଏହା ଏକ ତ୍ରିକୋଣାକାର ପଥର ମୂର୍ତ୍ତି । ଗଠନ ଦୃଷ୍ଟିରୁ ମୂର୍ତ୍ତିଟିର ବିଶେଷତ୍ୱ ମଧ୍ୟ ରହିଛି । ସେ ଚତୁର୍ଭୁଜା ଏବଂ ଏକ ପାଦ ବିଶିଷ୍ଟା । ମୂର୍ତ୍ତିର ବାମପାଶ୍ୱର୍ ସ୍କନ୍ଧ ନିକଟରେ ଏକ ଖାଲୁଆ ଅଂଶ ରହିଛି । ଏଠାରୁ ସୁବାସିତ ଗଙ୍ଗାଜଳ ଚିର ନିର୍ଝରିତ ହୁଏ । ମୂର୍ତ୍ତି ଐଶାନ୍ୟମୁଖା ହୋଇ ଅଧିଷ୍ଠିତା । ତାଙ୍କ ଦୃଷ୍ଟି ମନ୍ଦିରର ବେଢ଼ାସଲଗ୍ନ ହୋଇଥିବା ବ୍ରାହ୍ମଣମାନଙ୍କ ଶ୍ମଶାନ ମଧ୍ୟଦେଇ ପ୍ରାୟ ଏକ ମାଇଲ ଦୂରସ୍ଥ ପାଲ୍ଲରୁ ପାହାଡ ଯାଏ ଲମ୍ବିଛି । ଲୋକମାନଙ୍କର ବିଶ୍ୱାସ, ଏହି ପାହାଡଟି ଦେବୀଙ୍କର ଲୀଳାପୀଠ । ଦେବୀ ମଧ୍ୟରାତ୍ରିରେ ଅତି ଉଲ୍ଲାସ ଚିତ୍ତରେ ଏଠାରେ ବିତରଣ କରନ୍ତି । ଏ ପାହାଡ଼ର ଉପରଭାଗରେ ଜଳକୁଣ୍ଡ ଅଛି । ଜଳକୁଣ୍ଡଟି ଦେବୀଙ୍କର ବିଳାସ ତଡ଼ାଗ ବୋଲି ଏଠିକାର ଲୋକଙ୍କ ଧାରଣା । ଏ ଜଳ କୁଣ୍ଡରେ ପାଣି ବର୍ଷ ର ସବୁ ସମୟରେ ପ୍ରାୟ ସମ ପରିମାଣରେ ରହିଥାଏ । ପ୍ରବାଦଟିଏ ପ୍ରଚଳିତ ଅଛି ଯେ, ପାଣିକୁଣ୍ଡରେ ପଦ୍ମଫୁଲଟିଏ ସବୁବେଳେ ଫୁଟନ୍ତା ଅବସ୍ଥାରେ ରହୁଥିଲା । ଜଣେ ରଜୋବତୀ ଫୁଲଟିକୁ ତୋଳି ଆଣିବା ପରଠାରୁ ସେଠାରେ ଆଉ ଫୁଲଟି ଦେଖାଯାଉ ନାହିଁ । ମା’ଙ୍କର ଅଲୌକିକ ଦର୍ଶନ ପାଇଁ ବର୍ଷ ସାରା ଏଠାରେ ଭକ୍ତଙ୍କର ଭିଡ଼ ଲାଗିଥାଏ।ଅନ୍ୟ ଏକ ଲୋକ କଥା ଅନୁସାରେ ଓଡ଼ିଆ ସାଧବ ପୁଅମାନେ ବେପାର ବଣିଜ କରିବାକୁ ଅନ୍ୟ ଦେଶକୁ ଯିବା ସମୟରେ ମାଁ ଙ୍କୁ ପୂଜା କରି ଯାଉଥିବା ମଧ୍ୟ କିମ୍ବଦନ୍ତୀ ରହିଥିବା ଆଲୋଚନା ହୋଇଥାଏ।ସମୟ ଗଡ଼ି ଚାଲିବା ସହ ମନ୍ଦିର ର ନବକଳେବର ହେବା ସହ ଏହାକୁ ଆକର୍ଷଣୀୟ କରିବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର କୁ ଲାଗି ଜଗନ୍ନାଥ ମନ୍ଦିର ସହ ୧୦୮ ଦେବା ଦେବୀ ମନ୍ଦିର ନିର୍ମାଣ କରି ପୂଜା କରାଯାଉଛି।ଏହା ମଧ୍ୟରେ ମାଁ ଙ୍କ ପୁରୁଣା ମନ୍ଦିର ଭାଙ୍ଗି ନୂତନ ମନ୍ଦିର ନିର୍ମାଣ ପାଇଁ କମିଟି ଉଦ୍ୟମ ଆରମ୍ଭ କରିଥିବା ବେଳେ ବାଦବିବାଦ ଯୋଗୁଁ ଏହା ଅଧପନ୍ତରିଆ ଭାବେ ପଡ଼ିରହିଛି। ଏବଂ ମନ୍ଦିର ପରିଚାଳନା ଦାୟିତ୍ଵ ପ୍ରଶାସନ ନିକଟକୁ ଚାଲି ଯାଇଛି।ଯାହା ହେଲେ ମଧ୍ୟ ମାଁ ଙ୍କ ସ୍ବତନ୍ତ୍ରତା ଯୋଗୁଁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ଏଠାରେ ହୋଇଥାଏ। ବିଧି ଅନୁସାରେ ୧୫ ତାରିଖରେ ମନ୍ଦିର ରେ ପୂଜାର୍ଚ୍ଚନା କରାଯିବା ପରେ ଆଖପାଖ ଅଞ୍ଚଳ ବୟାଳି,ମହାସାହି ପେଣ୍ଠ, ହରଡଙ୍ଗ, ମନ୍ତ୍ରୀଡି ଓ ନୂଆଗାଁ ର ଗ୍ରାମବାସୀ ମାନେ ମାଁ ଙ୍କୁ ବରଣ କରି ଆଜ୍ଞାମାଳ ନେଇ ଗ୍ରାମକୁ ସୁସଜ୍ଜିତ ମଣ୍ଡପରେ ୯ ଦିନ ପୂଜା କରି ନବମୀ ରାତିରେ ମାଁ ଙ୍କୁ ଆଣି ମନ୍ଦିର ରେ ଛାଡି ଥାଆନ୍ତି। ଏଠାରେ ବୈଷ୍ଣବୀ ରୀତିନୀତି ଅନୁସାରେ ସମ୍ପୂର୍ଣ ସାତ୍ବକି ପଦ୍ଧତିରେ ମାଁ ଙ୍କ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି