ବାନ୍ଧକଳା ରେ ବୋଇତ ବନ୍ଦାଣ ର ଝଲକ ଦେଇ ଚର୍ଚ୍ଚା ରେ କେନ୍ଦୁପାଲି ଗ୍ରାମ ବାନ୍ଧ ଶିଳ୍ପୀ ମଙ୍ଗଳୁ ମେହେର


ବୀରମହାରାଜପୁର : ଯୁଗ ବଦଳିଛି ତା ସହ ବଦଳିଛି ଲୋକଙ୍କ ରୁଚି । ଲୋକଙ୍କ ରୁଚି ଅନୁସାରେ କାରିଗରମାନେ ମଧ୍ୟ କରିଥାନ୍ତି ନିଜର ଯାଦୁକରୀ କଳାର ନିଦର୍ଶନ । ବିଶେଷକରି ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ ଶିଳ୍ପୀମାନେ ସମୟ ସହ ତାଳ ଦେଇ କରିଥାନ୍ତି ନୂତନ ନୂତନ ଡିଜାଇନ । ତେବେ ଏଭଳି ଏକ ଡିଜାଇନ କରି ପୁଣି ଚର୍ଚାରେ ଜିଲ୍ଲାର ଜଣେ ବାନ୍ଧଶିଳ୍ପୀ । ସଂସ୍କୃତି ଓ ପରମ୍ପରାକୁ ଡିଜାଇନ ମାଧ୍ୟମରେ ଶାଢୀ ଦେହରେ ସ୍ଥାନ ଦେଇ ସୃଷ୍ଟି ଉଦାହରଣ କରିଛନ୍ତି ଶିଳ୍ପୀ ଜଣକ ।
ଐତିହ୍ୟ, କଳା ଓ ସଂସ୍କୃତିର ମାଟି ଓଡ଼ିଶା । ଏଠାକାର ସଂସ୍କୃତି ଓ ପରମ୍ପରା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରିଛି । ସେଥି ମଧ୍ୟରୁ କାର୍ତିକ ପୂର୍ଣ୍ଣମୀ ଦିନ ପାଳିତ ହେଉଥିବା ବୋଇତ ବନ୍ଦାଣ ହେଉଛି ଅନ୍ୟତମ । ତେବେ ଏହି ପ୍ରାଚୀନ ପରମ୍ପରାର ଚିତ୍ର ସବୁକୁ ଶାଢି ଦେହରେ ବୁଣି ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମର ବାନ୍ଧଶିଳ୍ପୀ ମଙ୍ଗୁଳୁ ମେହେର । ସେ ଏବେ ବାନ୍ଧ ମାଧ୍ୟମରେ ବୋଇତ ବନ୍ଦାଣ ଶାଢ଼ୀ କରି ଚର୍ଚ୍ଚାରେ । ସେ ନିଜେ ଏହାର ଡିଜାଇନକୁ ସ୍ଥାନ ଦେଇଥିବାବେଳେ ଅକ୍ଲାନ୍ତ ପରିଶ୍ରମ କରି ତାକୁ ବୁଣିଛନ୍ତି । ବାନ୍ଧ କଳା କୁ ନେଇ ସେ ୨୦୧୫-୧୬ ରେ ରାଜ୍ୟ ସରକାର ଓ ୨୦୧୫-୧୬ ରେ ଜାତୀୟ ପୁରସ୍କାର ପାଇଛନ୍ତି। ଏହି ଶାଢ଼ୀ କରି ବେଶ ଖୁସି ଅନୁଭବ କରିଛନ୍ତି ପରିବାର ଲୋକ । ମଙ୍ଗୁଳୁଙ୍କ ଦ୍ୱାରା ପ୍ରସ୍ତୁତ ଏହି ଶାଢୀ ଦେହରେ ରହିଛି ଆ, କା ମା ବୈ ଲେଖା ସହିତ ସାଧବ ପୁଅ ମାନଙ୍କ ଯାତ୍ରା ଓ ସାଧବ ବୋହୁ ମାନଙ୍କ ବନ୍ଦାଣ ର ପ୍ରତିଛବି । ଯାହାକୁ ଶାଢିରେ ଦେଖିଲେ ପୁରୁଣା ସ୍ମୃତି ସବୁ ମନେ ପଡ଼ିଯାଏ । ତେବେ ଏହି ଡିଜାଇନକୁ ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ପ୍ରସ୍ତୁତ କରିଥିଲେ । ପରେ ମଙ୍ଗୁଳୁଙ୍କ ପୁରା ପରିବାର ଏଥିରେ ନିୟୋଜିତ ହେବା ସହ ଅକ୍ଲାନ୍ତ ପରିଶ୍ରମ କରି ଶାଢିକୁ ପ୍ରସ୍ତୁତ କରିଛନ୍ତି । ପରିବାର ର ମଙ୍ଗୁଳୁ ଙ୍କ ସହିତ ତାଙ୍କ ସ୍ତ୍ରୀ ନଳିନୀ ମେହେର , ପୁଅ ମନୋଜ ମେହେର , ପୁତ୍ର ବଧୂ ସତ୍ୟବତୀ ମେହେର । ତାଙ୍କ ପୁଅ କିଛି ଦିନ ପୂର୍ବରୁ ବାନ୍ଧ କଳା ରେ ଦୀପାବଳୀ ଶାଢ଼ୀ କରି ବେଶ୍ ପ୍ରଶଂସିତ ହୋଇଛନ୍ତି । ଏବେ ଏହି ବୋଇତ ବନ୍ଦାଣ ଶାଢି ବଜାରରେ ମିଳୁଥିବାବେଳେ ଏହାର ଦାମ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ଥିବା ଜଣାପଡିଛି । ଆଗକୁ ବାନ୍ଧ ରେ ଅନେକ କିଛି କରିବାର ଅଛି। ଅଞ୍ଚଳ ର କଳା ସଂସ୍କୃତି କୁ ବିଶ୍ଵ ଦରବାର ରେ ପରିଚୟ କରିବାର ଉଦ୍ଦେଶ୍ୟ ନେଇ ଜାରି ରହିବ ଏହି ପ୍ରଚେଷ୍ଟା ବୋଲି କୁହନ୍ତି ମଙ୍ଗଳୁ । ଓଡ଼ିଶା ବାସୀ ପାଳନ କରୁଥିବା ପରମ୍ପରାକୁ ଶାଢିରେ ସ୍ଥାନ ଦେଇ ନୂଆଁ ପରିଚୟ ସୃଷ୍ଟି କରିଛନ୍ତି ବାନ୍ଧଶିଳ୍ପୀ । ଯାହାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।