ଜମନକିରା ବ୍ଲକରେ ଧାନ ଫସଲ ପରିଦର୍ଶନ କଲେ କୃଷି ବିଶେଷଜ୍ଞ: ରୋଗପୋକ ନିୟନ୍ତ୍ରଣ ପାଇଁ ପରାମର୍ଶ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଧାନ ଫସଲରେ ରୋଗପୋକ ସଂକ୍ରମଣ ଦେଖାଦେବା ପରେ କୃଷି ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀମାନେ ବିଭିନ୍ନ କ୍ଷେତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଉଦ୍ଭିଦ ସଂରକ୍ଷଣ ବିଭାଗର ପ୍ରଭାରୀ ବୈଜ୍ଞାନିକ ଶ୍ରୀକୃଷ୍ଣ ବେହେରା, ଉଦ୍ଭିଦ ବିଜ୍ଞାନ ବିଶେଷଜ୍ଞ ଡ.ଲକେଶ ମୁଦୁଲି, ସହକାରୀ କୃଷି ଅଧିକାରୀ ତନ୍ମୟ କୁମାର ମୁର୍ମୁ, କୃଷି ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଓ ଲୀଳାବତୀ ଗଡ଼ନାୟକ ପ୍ରମୁଖ ଫାସିମାଲ, ପୁକୁଡ଼ା ଓ ଗରିଆବାହାଲ ଗ୍ରାମର ପ୍ରଭାବିତ ଜମି ପରିଦର୍ଶନ କରିଥିଲେ।
ଫାସିମାଲ ଗ୍ରାମରେ ଚାଷୀ ନିରଞ୍ଜନ ଚୌଧୁରୀଙ୍କ ପାଚିଲା ଧାନ କ୍ଷେତରେ ଚକଡ଼ା ପୋକ (BPH) ବ୍ୟାପିଥିବା ଦେଖିବାକୁ ମିଳିଥିଲା। ଏହାର ନିରାକରଣ ପାଇଁ କ୍ଷେତରୁ ସଂକ୍ରମିତ ଗଛ ବାହାର କରିବା, ଜମିରୁ ତୁରନ୍ତ ପାଣି ନିଷ୍କାସନ କରିବା ଏବଂ ଗଛ ମଧ୍ୟରେ ବାୟୁ ଚଳାଚଳ ସୁବିଧା କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ସେହିପରି ପୁକୁଡ଼ା ଗ୍ରାମରେ ଚାଷୀ ଆକାଶ କୁମାର ନାୟକ, ବାବୁଲୁ ଧରୁଆ, ସନ୍ତୋଷ ଧରୁଆଙ୍କ କ୍ଷୀର ଧରିବା ଅବସ୍ଥାରେ ଥିବା ଧାନ କ୍ଷେତରେ ଜୀବାଣୁ ଜନିତ ପତ୍ରପୋଡ଼ା (BLB) ରୋଗ ଦେଖାଦେଇଛି। ଏଥିପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ Kasugamycin 5% + Copper Oxychloride 45% WP ମିଶାଇ ସ୍ପ୍ରେ କରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଗରିଆବାହାଲ ଗ୍ରାମର ଚାଷୀ ଉମେଶ ଚନ୍ଦ୍ର ପଟେଲ, ଅଶ୍ୱିନୀ ପଟେଲ, ଶ୍ରୀକାନ୍ତ ପଟେଲ, ଅନୂପ କୁମାର ପଟେଲ, ବୈକୁଣ୍ଠ ପଟେଲ, ପ୍ୟାରୀ ମୋହନ ପଟେଲ, ହରମୋହନ ପଟେଲ, ହରିହର ପଟେଲ ଓ ହରି ପ୍ରସାଦ ନାଏକଙ୍କ କ୍ଷେତରେ କାଣ୍ଡବିନ୍ଧା (YSB), ପତ୍ରପୋଡ଼ା ଓ ଚକଡ଼ା ପୋକର ପ୍ରାଦୁର୍ଭାବ ଦେଖିବାକୁ ମିଳିଥିଲା। କାଣ୍ଡବିନ୍ଧା ପାଇଁ ଏକର ପିଛା କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ (Chlorantraniliprole 18.5% SC) ୧୫୦ ମିଲି କିମ୍ବା ଫିପ୍ରୋନିଲ୍ (Fipronil 5% SC) ୫୦୦ ମିଲି ଏବଂ ଚକଡ଼ା ପୋକ ନିୟନ୍ତ୍ରଣ ପାଇଁ ପାଇମେଟ୍ରୋଜିନ୍ (Pymetrozine 50% WG) ୧୨୦ ଗ୍ରାମ କିମ୍ବା ଡିନୋଟେଫ୍ୟୁରାନ୍ (Dinotefuran 20% SG) ୮୦ ଗ୍ରାମ ପ୍ରୟୋଗ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ଚାଷୀମାନେ ସତର୍କ ରହି ଠିକ୍ ସମୟରେ ଔଷଧ ସିଞ୍ଚନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

