ଗୋପାଳପୁରରେ ଥିବା ଶ୍ରଦ୍ଧା ସଞ୍ଜୀବନୀ ଆବାସିକ ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ୮ ଜଣ ଅନ୍ତେବାସୀ ମଧୁବାବୁ ଭତ୍ତା ପାଇବାରୁ ବଞ୍ଚିତ ଘଟଣା।ଓଡ଼ିଶା ମାନବାଧିକାର କମିଶନ ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ ନିର୍ଦ୍ଦେଶ।


ଗୋପାଳପୁର,୦୫/୦୮ ଏଚ୍‌ଆଇଭି ସଂକ୍ରମିତ ମାତା-ପିତାଙ୍କ ଠାରୁ ଜନ୍ମିତ ଅନାଥ ଶିଶୁଙ୍କୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଥିବା ଶ୍ରଦ୍ଧା ସଞ୍ଜୀବନୀ ଆବାସିକ ଶିଶୁଯତ୍ନ କେନ୍ଦ୍ରରେ ଥଇଥାନ କରାଯାଉଛି। ଏହି କେନ୍ଦ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୫୭ଜଣ ଏଚ୍‌ଆଇଭି ସଂକ୍ରମିତ ଶିଶୁ ରହୁଛନ୍ତି ।କିନ୍ତୁ ଏଠାରେ ରହୁଥିବା ୮ଜଣ ଅନ୍ତେବାସୀ ମଧୁବାବୁ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି।ଅନ୍ତେବାସୀଙ୍କୁ ମଧୁବାବୁ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ଶିଶୁ ଯତ୍ନ କେନ୍ଦ୍ର ର ଅଧିକାରୀ ଙ୍କ ପକ୍ଷରୁ ଆବଶ୍ୟକ କାଗଜପତ୍ର‌ ବିଭାଗୀୟ ପଦାଧିକାରୀ ଙ୍କ ଠାରେ ଦାଖଲ କରିଥିବା ସତ୍ତ୍ୱେ ସେମାନଙ୍କୁ ଭତ୍ତା ମିଳି ପାରିନଥିବା ନେଇ ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ର ଙ୍କ ପକ୍ଷରୁ ଓଡ଼ିଶା ମାନବାଧିକାର କମିଶନ ଙ୍କ ଠାରେ ଏକ ପିଟିସନ ଗତ ଜୁନ ମାସରେ ଦାଖଲ କରାଯାଇଥିଲା।ଏହି ପିଟିସନକୁ ଆଧାର କରି ଓଡ଼ିଶା ମାନବାଧିକାର କମିଶନ ଙ୍କ ପକ୍ଷରୁ ଗତ ଜୁଲାଇ ୩ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭତ୍ତା ପ୍ରଦାନ ରେ ବିଳମ୍ବ ଘଟଣା ନେଇ ଉପଯୁକ୍ତ ତଦନ୍ତ କରିବା ସହ ଆସନ୍ତା ଅକ୍ଟୋବର ୧୬ ତାରିଖ ରେ କମିଶନ ଙ୍କ ଠାରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ଶିଶୁ ଯତ୍ନ କେନ୍ଦ୍ର ରେ ଏହି ଶିଶୁଙ୍କ ପାଠପଢ଼ା ଓ ଖାଇବା ରହିବା ସହିତ ସମସ୍ତ ପ୍ରକାର ଯତ୍ନ ରାଜ୍ୟ ସରକାର ବହନ କରୁଛନ୍ତି। ମାତା-ପିତା ଏଚ୍‌ଆଇଭି ପଜିଟିଭ୍‌ ହେବାର ପରବର୍ତ୍ତୀ ସମୟରେ ଗର୍ଭସ୍ଥ ଶିଶୁ ମଧ୍ୟ ସଂକ୍ରମିତ ହୋଇଥାଏ। ଏଚ୍‌ଆଇଭି ସଂକ୍ରମିତ ମାତା-ପିତାଙ୍କ ମୃତ୍ୟୁ ପରେ ଶିଶୁଟି ଅନାଥ ହୋଇ ଯାଇଥାଏ। ଏଭଳି ଅନାଥ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ଗୋପାଳପୁର ଠାରେ ଶ୍ରଦ୍ଧା ସଞ୍ଜୀବନୀ ଶିଶୁଯତ୍ନ ଗୃହ ଆରମ୍ଭ କରା ଯାଇଥିଲା। ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ତଥା ବର୍ତ୍ତମାନର ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ଉଦ୍ୟମ କ୍ରମେ ଗତ ୨୦୦୭ରେ ଶ୍ରଦ୍ଧା ସଞ୍ଜୀବନୀ ପ୍ରତିଷ୍ଠା ହୋଇଥିଲା। ଏଠାରେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଏଚ୍‌ଆଇଭି ସଂକ୍ରମିତ ଅନାଥ ଶିଶୁଙ୍କ ଯତ୍ନ ନିଆଯାଉଛି। ୬ରୁ ୧୮ବର୍ଷ ବୟସ ଭିତରେ ରହିଥିବା ପିଲାମାନଙ୍କୁ ଏଠାରେ ମାଗଣାରେ ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି।ଏହା ସହ ସାମାଜିକ ସୁରକ୍ଷା ଯୋଜନାରେ ଏଠାରେ ରହୁଥିବା ଶିଶୁଙ୍କୁ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ କରା ଯାଇଛି ।ପ୍ରତ୍ୟେକ ଅନ୍ତେବାସୀଙ୍କୁ ମାସିକ ୫ଶହ ଟଙ୍କା ପେନ୍‌ସନ୍‌ ଦିଆ ଯାଇଥାଏ। ଏହି ଟଙ୍କା ଅନ୍ତେବାସୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ। କିନ୍ତୁ ୮ଜଣ ଶିଶୁ ଦୀର୍ଘ ମାସ ଧରି ଏହି ପେନ୍‌ସନ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ୮ଜଣ ଶିଶୁ ଗତବର୍ଷ ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରୁ ଏହି ଶିଶୁଯତ୍ନ ଗୃହକୁ ଆସିଥିଲେ।ଶ୍ରଦ୍ଧା ସଞ୍ଜୀବନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନ୍ତେବାସୀଙ୍କ ତାଲିକା ପ୍ରସ୍ତୁତ କରି ଫେବ୍ରୁଆରି ମାସରୁ ଗଞ୍ଜାମ ଡିଏପିୟୁସିର ଡିପିଏମ୍‌ ନିକଟରେ ଦାଖଲ କରି ଥିଲେ ।ଏହା ସହିତ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ ମଧ୍ୟ ଏହା ନେଇ ଅବଗତ କରାଯାଇଥିଲା। କିନ୍ତୁ ସେହି ଅନାଥ ଶିଶୁଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ ହୋଇପାରି ନଥିଲା। ଏଣୁ ଏହି ଘଟଣା ନେଇ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଅନ୍ତେବାସୀଙ୍କ ନିମନ୍ତେ ପେନ୍‌ସନ୍‌ ସୁବିଧା କରିବାକୁ କିଛି ସାମାଜିକ କର୍ମୀ ଦାବି କରିଥିଲେ। କିନ୍ତୁ ଏଥିରେ ବିଳମ୍ବ ଘଟିଥିଲା।ଘଟଣା ନେଇ କେନ୍ଦ୍ର ପରିଚାଳନା ଦାୟିତ୍ୱ ରେ ରହିଥିବା ଅରୁଣା ସ୍ବେଛାସେବୀ ସଂଗଠନ ର ନିର୍ଦେଶକ ଲୋକନାଥ ମିଶ୍ରଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ବିଭାଗ ପକ୍ଷରୁ ୭ ଜଣ ଅନ୍ତେବାସୀ ଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ସିକୃତି ପତ୍ର ମିଳି ଯାଇଥିବା ବେଳେ ଆଗାମୀ ଦିନରେ ସେମାନେ ସେମାନଙ୍କ ଭତ୍ତା ପାଇ ପାରିବେ, କିନ୍ତୁ ଜଣେ ଅନ୍ତେବାସୀ ଙ୍କ କେ ଓ୍ବାଇ ସି ଅପଡେଟ ହୋଇ ପାରିନଥିବା ରୁ ଟିକେ ବିଳମ୍ବ ହୋଇପାରେ ବୋଲି ମତପୋଷଣ କରିଛନ୍ତି।