ସାଉଦି ଆରବ ଏହାର କଠୋର ସରିଆ ଆଇନ ପାଇଁ ଜଣାଶୁଣା । ତଥାପି ଏହି ଦେଶ ଏକ ବଡ଼ ପରିବର୍ତ୍ତନ ଆଡ଼କୁ ଗତି କରୁଛି । ଯେଉଁ ଦେଶରେ ଗତ ୭୩ ବର୍ଷ ଧରି ମଦ ସମ୍ପୂର୍ଣ୍ଣ ନିଷିଦ୍ଧ ଥିଲା, ୨୦୨୬ରୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ମଦ ବିକ୍ରୟ ଏବଂ ସୀମିତ ସେବନକୁ ଅନୁମତି ଦିଆଯିବ । ସାଉଦି ଆରବର ‘ଭିଜନ ୨୦୩୦’ ଯୋଜନା ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି. ଏହାର ଲକ୍ଷ୍ୟ ହେଉଛି ଦେଶକୁ ପର୍ଯ୍ୟଟନ ଏବଂ ବିଶ୍ୱ ନିବେଶର ଏକ କେନ୍ଦ୍ର କରିବା ।
ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଇସଲାମରେ ହାରାମ ବୋଲି ବିବେଚନା କରାଯାଉଥିବା ମଦ ଏବେ ସାଉଦିର ଆଧୁନିକ ପ୍ରତିଛବିର ଏକ ଅଂଶ ହୋଇଯିବ କି ? ସାଉଦି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ପରିବର୍ତ୍ତନ ସମ୍ପୂର୍ଣ୍ଣ ଭାବରେ ଏକ ନିୟନ୍ତ୍ରିତ ଲାଇସେନ୍ସିଂ ପ୍ରଣାଳୀ ଅଧୀନରେ କରାଯିବ । ଦେଶ ସାରା ପ୍ରାୟ ୬୦୦ ସ୍ଥାନରେ ମଦ ବିକ୍ରି ହେବ। ଯେଉଁଥିରେ ପଞ୍ଚତାରକା ହୋଟେଲ, ଉଚ୍ଚମାନର ରିସର୍ଟ, କୂଟନୈତିକ କ୍ଷେତ୍ର ଏବଂ ନିଓମ୍, ସିନ୍ଦାଲା ଦ୍ୱୀପ, ଲାଲ ସାଗର ପ୍ରକଳ୍ପ ଭଳି ପ୍ରମୁଖ ପର୍ଯ୍ୟଟନ ପ୍ରକଳ୍ପ ଅନ୍ତର୍ଭୁକ୍ତ ।
ଏହି ସୁବିଧା କେବଳ ଆନ୍ତର୍ଜାତୀୟ ପର୍ଯ୍ୟଟକ ଏବଂ ପ୍ରବାସୀମାନଙ୍କ ପାଇଁ ରହିବ । ସ୍ଥାନୀୟ ଅଞ୍ଚଳ ଏବଂ ସାର୍ବଜନୀନ ସ୍ଥାନରେ ମଦ୍ୟପାନ ନିଷେଧ ରହିବ। ନୂତନ ନିୟମ ଅନୁଯାୟୀ, କେବଳ ବିୟର, ୱାଇନ୍ ଏବଂ ସାଇଡର ଭଳି ହାଲୁକା ଆଲକୋହଲ ଉତ୍ପାଦ ପରିବେଷଣ କରିବାକୁ ଅନୁମତି ଦିଆଯିବ ।
ହ୍ୱିସ୍କି ଏବଂ ଭୋଦକା ଭଳି ୨୦% ରୁ ଅଧିକ ଆଲକୋହଲ ଥିବା ପାନୀୟ ଉପରେ କଟକଣା ହେବ । ଘର, ବଜାର କିମ୍ବା ସାର୍ବଜନୀନ ସ୍ଥାନରେ ମଦ ବିକ୍ରି ହେବ ନାହିଁ । କୌଣସି ବ୍ୟକ୍ତି ଏହାକୁ ବ୍ୟକ୍ତିଗତ ଭାବରେ ତିଆରି କରିପାରିବେ ନାହିଁ । ଏହାର ଅର୍ଥ ହେଉଛି, କେବଳ ତାଲିମପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଲାଇସେନ୍ସପ୍ରାପ୍ତ ସ୍ଥାନରେ ମଦ୍ୟପାନ ହୋଇପାରିବ ।