ସମ୍ବଲପୁର: ଡାଳୁଅ ଚାଷରେ ଚକଡା ପୋକ ଆତଙ୍କ ଦେଖାଦେଇଛି।ଗତ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇବା ଫଳରେ ଡାଳୁଆ ଧାନରେ ଚକଡ଼ା ଚକଡା ଆତଙ୍କ ଖେଳିଛି।ଏହି ଜଳବାୟୁ ଯୋଗୁଁ ଚକଡ଼ା ପୋକ ବହୁ କମ୍ ସମୟ ମଧ୍ୟରେ ଏକର ଏକର ଫସଲକୁ ମାଡ଼ି ଯାଉଛି।ଫଳରେ ଡ଼ାଳୁଅ ଚାଷ ଅମଳକୁ ନେଇ ବର୍ତ୍ତମାନ ଠୁ ସନ୍ଦେହ ଦେଖାଦେଲାଣି। ଏହାର ନିରାକରଣ ପାଇଁ ଚାଷୀ ପୂର୍ବରୁ କୀଟନାଶକ ଔଷଧ ସିଞ୍ଚନ କରିଥିବାବେଳେ ଏବେ ପୁଣି ଫସଲକୁ ବଞ୍ଚାଇବାକୁ ବାରମ୍ବାର କୀଟନାଶକ ଔଷଧ ସିଞ୍ଚନ କରୁଛନ୍ତି। ଚଳିତବର୍ଷ ବିଭିନ୍ନ କିସମର ଧାନ ଫସଲ ଭଲ ହୋଇଛି। ଏପରିସ୍ଥଳେ ବହୁ ପରିଶ୍ରମ କରିଥିବା ଫସଲ ଏବେ କ୍ଷୀର ଧରୁଥିବା ବେଳେ ଚକଡ଼ା ପୋକ ରୋଗ ମାଡୁ ଥିବାରୁ ଚାଷୀ ମହଲରେ ଚାଷକୁ ନେଇ ନୈରାସ୍ୟଭାବ ଦେଖାଦେଲାଣି। ଅନେକ ଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି।
ଏଭଳି ସମସ୍ୟା ଉପୁଜିଥିବା ବେଳେ କୃଷି ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନି।ଚାଷୀ ନିଜ ଧାନ ଫସଲ ରେ କୀଟନାଶକ ଔଷଧ ପକାଇଥିବା ସତ୍ତ୍ବେ ଚକଡ଼ା ମାଡି ମାଡି ଚାଲୁଛି। ଫଳରେ କୀଟନାଶକ ଔଷଧର ମାନକୁ ନେଇ ଚାଷୀ ମନରେ ସନ୍ଦେହ ହେଲାଣି । ତେବେ, କୃଷି ବିଭାଗ ଏହାର ମାନ ଏବଂ ଦରକୁ ନେଇ ଯାଞ୍ଚ କରୁନଥିବା ଯୋଗୁଁ ଚାଷୀ ମହଲରେ ଭାଳେଣି ପଡ଼ିଲାଣି।ଚାଷୀମାନେ ୩ ମାସରୁ ରୁ ପ୍ରାୟ ୫ ମାସ ଯାଏ ଅମଳକ୍ଷମ ଡାଳୁଅ ଧାନ ଚାଷ ମାତି ରହନ୍ତି।ଏବେ ଧାନ କେଉଁଠି ଫୁଟିଲାବେଳେ କେଉଁଠି କ୍ଷୀର ଧରୁଛି | ଚଳିତବର୍ଷ ଡାଳୁଅ ଧାନ ଚାଷର ସୁରକ୍ଷା ପାଇଁ ଚାଷୀ ପ୍ରାୟ ୨ ମାସ ପୁରିବା ଆଗରୁ ପ୍ରତିଷେଧକ ଭାବେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ | ସେତେବେଳେ ଲିଟର ପିଛା ୧୬ ହଜାର ଟଙ୍କା ଦେଇ ଏଭଳି ଔଷଧ କ୍ରୟ କରି ଅମଳକ୍ଷମ ହେବାକୁ ଥିବା ଧାନର ଯତ୍ନ ନେଉଥିଲେ | ତେବେ, ତାହା କାମରେ ଆସୁନଥିବା ଅଭିଯୋଗ ହେଉଛି। ଏହା କ୍ରୟ କରି ଚାଷୀ କେବଳ ଖର୍ଚ୍ଚାନ୍ତ ହେଉ ନାହିଁ ବରଂ ଆର୍ଥିକ ବୋଝ ସହୁଛି।ତେବେ ବହୁମୂଲ୍ୟ ଥିବା ଏହି ଔଷଧ ଗୁଡିକ ପ୍ରକୃତରେ ଅରିଜିନାଲ ନା’ ଡୁପ୍ଲିକେଟ୍ ତାହା ଜଣାପଡୁନାହିଁ | ଦରଦାମ୍ରେ ମଧ୍ଯ ବହୁ ତାରତମ୍ୟ ରହୁଥିବା ଚାଷୀ ଓ ଚାଷୀ ନେତା ଅଭିଯୋଗ କରି ଆସୁଛନ୍ତି। କିଛି ବିକ୍ରେତା ଏହି କୀଟନାଶକକୁ ୧୩ ହଜାର ଟଙ୍କାରେ ବିକ୍ରୟ କରୁଥିବାବେଳେ ଔଷଧ ମୂଲ୍ୟର କୌଣସି ଗ୍ୟାରେଣ୍ଟି ଜଣା ପଡ଼ୁନାହିଁ। ଚାଷୀ ତାର ଏତେ ଦିନର ପରିଶ୍ରମର ଫସଲକୁ ବଞ୍ଚାଇବା ପାଇଁ ଅଧିକ ଦର ଏବଂ କୀଟନାଶକର ମାନ ନଜାଣି ମଧ୍ଯ କ୍ରୟ କରି ନିଜର ସୁନାର ଫସଲକୁ ବଢାଇବା ଆଶା କରି ନିଜର ଚାଷ ଜମିରେ ପକାଉଛି।ମୂଲ୍ୟାଧିକ କୀଟନାଶକ ଔଷଧ ସାଙ୍ଗକୁ ଶ୍ରମିକ ମଜୁରୀ ଭିତରେ ଚାଷୀ ଆର୍ଥିକ ବୋଝ ସହୁଛି।ଏହାପରେ ବି କୀଟନାଶକ ଔଷଧରେ ଚକଡା ଛାଡିବା ନାଁ ଧରୁନି। ବରଂ ଦିନକୁ ଦିନ ଚକଡ଼ା ପୋକ ବଢ଼ିବାରେ ଲାଗିଛନ୍ତି। ଯାହାକୁ ନେଇ ଚାଷୀ ମହଲରେ ଭାଳେଣି ପଡ଼ିଲାଣି।
ପୁଣି ଥରେ ଚକଡ଼ା ଲାଗିଗଲେ ଏକରପିଛା ଫସଲ ଅମଳ ହାର ହ୍ରାସ ପାଇବା ଆଶଙ୍କା ରହିଛି। ଫଳରେ ଚକଡା ଆତଙ୍କକୁ ନେଇ ଚାଷୀମାନେ ହତାଶ ବୋଧ କଲେଣି | ଆସନ୍ତା ମେ ତୃତୀୟ ସପ୍ତାହ ବେଳକୁ ଡ଼ାଳୁଅ ଚାଷ ଅମଳ ଆରମ୍ଭ ହେବ ବୋଲି ଚାଷୀ ଅନୁମାନ କରୁଛନ୍ତି। କିନ୍ତୁ ଚକଡା ଚାଷୀ ମନର ଆଶା ଭରଷାକୁ ଧୋଇ ଦେଉଛି।
ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ସଭାପତି ଉମେଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ଚାଷୀ ଖର୍ଚ୍ଚାନ୍ତ ହେଉଥିବାବେଳେ ଆଜି ପର୍ଯ୍ୟନ୍ତ ଦୋକାନ ଗୁଡ଼ିକରେଔଷଧର ମାନ ନିର୍ଦ୍ଧାରଣ ପାଇଁ ଚଢ଼ାଉ କିମ୍ବା ଯାଞ୍ଚ ସୁଦ୍ଧା ଆରମ୍ଭ ହୋଇନି।କୃଷି ବିଭାଗ ପକ୍ଷରୁ ଔଷଧ ଦୋକାନ ମାନଙ୍କରେ ମିଳୁଥିବା କୀଟନାଶକ ଔଷଧ ଗୁଡିକର ମାନ ନିର୍ଦ୍ଧାରଣ ପାଇଁ ଯାଞ୍ଚ ପ୍ରକ୍ରିୟା ରହିଛି।କିନ୍ତୁ କୃଷି ବିଭାଗ ଅଧିକାରୀ ନିରବ ରହିବା ପଛର କାରଣକୁ ନେଇ ଚାଷୀ ସନ୍ଧିଆନ ରହିଛନ୍ତି । କୃଷକ ସଙ୍ଗଠନ ସମ୍ପାଦକ ଦେବେନ୍ଦ୍ର ପ୍ରଧାନଙ୍କ କହିବା କଥା ହେଲା ଗୁଳୁଗୁଳି ଯୋଗୁଁ ଚାରିଆଡ଼େ ଚକଡ଼ା ଲାଗିଛି। ଚାଷୀ ଥରେ ନୁହେଁ ଦ୍ଵିତୀୟ ଥର ପାଇଁ କୀଟନାଶକ ଔଷଧ ନିଜ ଚାଷ ଜମିରେ ସିଞ୍ଜନ କଲାଣି।ଏହା ବହୁ ବ୍ୟୟ ସାପେକ୍ଷ ଓ ଅମଲକ୍ଷମ ହେବାକୁ ଥିବା ଫସଲ ପାଇଁ ବିପଦ ଜାଣି ସୁଦ୍ଧା ଏବେ ତାକୁ ନିରୁପାୟ ହେବାକୁ ପଡୁଛି। କୀଟନାଶକ ଔଷଧର ମୂଲ୍ୟ ଏବଂ ମାନକୁ ନେଇ କୃଷି ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବା ଜରୁରୀ ବୋଲି ଦେବେନ୍ଦ୍ର କହିଥିବା ବେଳେ କୃଷି ବିଭାଗର ନୀରବତା ଭିନ୍ନ ଦିଗକୁ ଇସାରା ଦେଉଛି ବୋଲି ଚାଷୀ ମହଲରେ ଅଭିଯୋଗ ହେଲାଣି। ଚାଷୀଙ୍କ କହିବାନୁଯାୟୀ ଚାଷ ପାଇଁ ବ୍ୟବହୃତ ହେଉଥିବା ସାର, ବିହନ ବା କୀଟନାଶକ ଔଷଧ ଉପରେ କୌଣସି ପ୍ରକାର ଅଭିଯୋଗ ଆସିଲେ କୃଷି ଅଧିକାରୀ ଏହା ଯାଞ୍ଚ କରିବା ନିୟମ ରହିଛି। କିନ୍ତୁ ମୁନାଫାର ବିଭିନ୍ନ କମ୍ପାନୀରୁ ମୋଟା ଅଙ୍କର ଅର୍ଥ ଲାଞ୍ଚ ବା ଉପହାର ନେଇ ଅଧିକାରୀ ମାନେ ଚୁପ ବସିପଡନ୍ତି। ଜିଲ୍ଲାରେ ଏଭଳି ହେଉଥିବା ବହୁ ନଜିର ରହିଥିବାରୁ ଜିଲ୍ଲାପାଳ ତୁରନ୍ତ ଏହାର ନିରାକରଣ ସହିତ କୀଟନାଶକ ଔଷଧ ର ମାନ ନିର୍ଦ୍ଦାରଣ ଓ ଯାଞ୍ଚ ପାଇଁ କୃଷି ବିଭାଗକୁ ଆଦେଶ ଦେବାପାଇଁ ଚାଷୀ ମହଲରେ ଦାବି ଉଠିଲାଣି।
ଡାଳୁଅ ଚାଷରେ ଚକଡା ଆତଙ୍କ:କୀଟନାଶକ ଔଷଧକୁ ନେଇ ସନ୍ଦେହ, କୃଷି ବିଭାଗର ନୀରବତା ପଛରେ ଷଡଯନ୍ତ୍ର !
